ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି(ବସପା)ରୁ ଏକାବେଳେ ୧୫ ଜଣ ନେତା ବିଜେପିରେ ଯୋଗ ଦେବା ଘଟଣା ଏବେ ଦଳ ପାଇଁ ଚିନ୍ତାଜନକ ହୋଇଛି। ଉକ୍ତ ୧୫ ନେତାଙ୍କ ମଧ୍ୟରୁ ୧୧ ଜଣ ଦଳୀୟ ଟିକେଟରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଲଢ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୂର୍ବତନ ରାଜ୍ୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ସୂଚନାନୁଯାୟୀ, ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ମୋଦୀଙ୍କ ବିରୋଧରେ ୬୦,୫୭୯ ଭୋଟ୍ ପାଇଥିବା ବିଏସପିର ବିଜୟ ପ୍ରକାଶ ଜୈସୱାଲ ଗତ ୧୨ରେ ବିଜେପି ହାତ ଧରିଛନ୍ତି। ଚଳିତ ଥର ବାରାଣାସୀ ଟିକେଟ୍ ସପା ପ୍ରାର୍ଥୀଙ୍କୁ ଦିଆଯିବାରୁ ଜୈସୱାଲ୍ ବିଜେପିରେ ମିଶିଥିବା ଜଣାପଡ଼ିଛି। ସେହିପରି ପୂର୍ବତନ ବିଏସ୍ପି ଜାତୀୟ ମୁଖପାତ୍ର ଉମ୍ମେଦ ପ୍ରତାପ ସିଂହ ଏବଂ ପୂର୍ବରୁ ମାୟାବତୀ ସରକାରରେ ମନ୍ତ୍ରୀ ଥିବା ରାମହେଟ ଭାରତୀଙ୍କ ସମେତ ୩ ଥର ବିଧାୟକ ହୋଇଥିବା ଛୋଟେଲାଲ୍ ବର୍ମା ମଧ୍ୟ ବିଜେପିରେ ମିଶିଛନ୍ତି। ଏତେ ସଂଖ୍ୟାରେ ବିରୋଧୀ ନେତା ବିଜେପିରେ ମିଳିବା ଫଳରେ ସପା-ବସପା ମେଣ୍ଟର ଲକ୍ଷ୍ୟହାସଲରେ ପ୍ରଶ୍ନବାଚୀ ଲାଗିଛି। ଉଲ୍ଲେଖଯୋଗ୍ୟ, ବିଜେପିକୁ ହରାଇବା ପାଇଁ ଗତ ଜାନୁଆରିରେ ମେଣ୍ଟ ଘୋଷଣା କରିଥିବା ସପା-ବସପା ଉତ୍ତରପ୍ରଦେଶର ମୋଟ ୮୦ଟି ଆସନରୁ ଯଥାକ୍ରମେ ୩୭ ଏବଂ ୩୮ ଆସନରୁ ଲଢ଼ିବାକୁ ଘୋଷଣା କରିସାରିଛନ୍ତି।
ୟୁପିରେ ଏସ୍ପି-ବିଏସପି ମେଣ୍ଟକୁ ଶକ୍ତ ଝଟ୍କା : ୧୫ ବିଏସ୍ପି ନେତା ବିଜେପିରେ
/sambad/media/post_attachments/wp-content/uploads/2019/03/bsp-sp.jpg)