ସମ୍ବଲପୁର: ସାଧାରଣ ନିର୍ବାଚନ-୨୦୨୪କୁ ୬ ମାସ ପୂରଣ ହୋଇନାହିଁ। ରାଜ୍ୟରେ ଆଗାମୀ ୨ ବର୍ଷ ଭିତରେ କୌଣସି ବଡ଼ଧରଣର ନିର୍ବାଚନ ହେବାର ନାହିଁ। କିନ୍ତୁ ନେତା ଓ କର୍ମୀମାନେ ଦଳ ଛାଡ଼ିବା ଜାରି ରଖିଛନ୍ତି। ବିଶେଷ ଭାବେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାକୁ ଅକ୍ତିଆର କରିଥିବା ବିଜୁ ଜନତା ଦଳ (ବିଜେଡି)ରୁ ନେତା ଓ କର୍ମୀମାନେ ମୁହଁ ଫେରାଉଛନ୍ତି। ବିଜେଡି ନେତା ଓ କର୍ମୀ ଦଳରେ ଆଉ ସନ୍ତୁଷ୍ଟ ନାହାନ୍ତି। ହାତରୁ କ୍ଷମତା ଚାଲିଗଲା ପରେ ଅନେକ ନେତା ଓ କର୍ମୀ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରୁବାକୁ ଆଗ୍ରହୀ ହେଉ ନାହାନ୍ତି। ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୁଧବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହେବାର ୨୪ ଘଣ୍ଟା ନପୁରୁଣୁ ଆଜି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ୧୮ ଜଣ ସରପଞ୍ଚ, ନାଏବ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ପ୍ରମୁଖ ବିଜେଡି ଛାଡ଼ିଛନ୍ତି। ରାଜନୈତିକ ମହଲରେ ଏହା ପୂର୍ବତନ ମନ୍ତ୍ରୀ ତଥା  ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଇଁ ଏହା ଶକ୍ତ ଧକ୍କା ବୋଲି ଚର୍ଚ୍ଚା କରୁଛନ୍ତି।

Advertisment

publive-image

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ୧୮ ଜଣ ସରପଞ୍ଚ ଓ ନାଏବ ସରପଞ୍ଚ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସରପଞ୍ଚ ଓ ନାଏବ ସରପଞ୍ଚମାନେ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି।

ସମ୍ୱଲପୁର ଜିଲ୍ଲାର ରେଢ଼ାଖୋଲକୁ ବିଜେଡି ଗଡ଼ କୁହାଯାଇଥାଏ। ଏଠାରେ ୨୦୦୦ ମସିହାରୁ ବିଜେଡି ଲଗାତାର ଜିତି ଆସୁଛି। ରୋହିତ ପୂଜାରୀ ଏଠାରେ ଦୁଇ ଥର ନିର୍ବାଚନ ଜିତି ମନ୍ତ୍ରୀ ମଧ୍ୟ ହୋଇଥିଲେ। ଏଥର ଦଳ ରୋହିତଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା। ଲୋକମାନେ ପ୍ରସନ୍ନଙ୍କୁ ମଧ୍ୟ ଭରପୂର ସମର୍ଥନ ଦେଇଥିଲେ। ଶ୍ରୀ ଆଚାର୍ଯ୍ୟଙ୍କୁ ବିଜୟୀ କରାଇ ବିଧାନସଭାକୁ ପଠାଇଥିଲେ।

 

ମିଶ୍ରଣ ପର୍ବ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ସମ୍ବଲପୁର ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ରେଢାଖୋଲ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ଜନପ୍ରତିନିଧି ଓ ସ୍ଥାନୀୟ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ ରାଜ୍ୟରେ ବିଜେପି ସରକାରର କାର୍ଯ୍ୟରେ ଆସ୍ଥାପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ନବାଗତ କର୍ମୀମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଯୋଗଦାନ ତୃଣମୂଳ ସ୍ତରରେ ଆମର ସଂଗଠନକୁ ଅଧିକ ମଜଭୂତ୍ କରିବ। 

ଶ୍ରୀ ପ୍ରଧାନ କହିଛନ୍ତି ଯେ, କ୍ଷମତାକୁ ଉପଭୋଗ କରିବା ନୁହେଁ ବରଂ ଲୋକଙ୍କ ସେବା କରିବା ଆମର ଧର୍ମ। ଆମେ କାର୍ଯ୍ୟକର୍ତ୍ତାମାନେ ସେବାକୁ ପ୍ରାଥମିକତାରେ ରଖି କାମ କରିବା। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ କିଭଳି ଲୋକଙ୍କ ପାଖରେ ପହଞ୍ଚିବ, ତାହାର ଦାୟିତ୍ୱ ନେବା। ସମ୍ବଲପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର ସହର ଭାବେ ଗଢି ତୋଳିବା ପାଇଁ ନିଜ ସ୍ତରରେ କର୍ତ୍ତବ୍ୟ ପାଳନ କରିବା।