ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ୨ କୋଟି ୧୦ଲକ୍ଷ ଭୋଟରଙ୍କ ସମର୍ଥନ ଲାଗି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ରଣନୀତି ନିର୍ଧାରଣ ହୋଇଛି। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜରୁୁରି ବୈଠକ ଡାକି ପର୍ଯ୍ୟବେକ୍ଷକଙ୍କୁ ଆଜି ଟାସ୍କ ଦେଇଛନ୍ତି। ନିର୍ବାଚନ ଆଉ ସାତ ମାସ ଅଛି ବୋଲି ଭବିଷ୍ୟବାଣୀ କରି ତାଗିଦ୍ କରିଛନ୍ତି ଯେ ଯେଉଁମାନଙ୍କରେ ସଂଗଠନ ଟିକିଏ ପଛୁଆ ଅଛି, ସେଠାରେ ପର୍ଯ୍ୟବେକ୍ଷକ କଠିନ ପରିଶ୍ରମ କରିବା ଦରକାର। ଆସନ୍ତା ୧୬ରୁ ୨୮ ତାରିଖ ଯାଏ ସେ ଜିଲ୍ଲାଓ୍ଵାରି ବୈଠକ କରିବେ। ସେତେବେଳକୁ ଦିଆଯାଇଥିବା କାମ ସାରିବା ଦରକାର ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି।
ଗତକାଲି ହଠାତ୍ ପର୍ଯ୍ୟବେକ୍ଷକଙ୍କୁ ଫୋନ୍ ଯାଇଥିଲା ଯେ ଆଜି ଅର୍ଥାତ୍ ସୋମବାର ମୁଖ୍ୟମନ୍ତ୍ରୀ ବୈଠକ କରିବେ। ସନ୍ଧ୍ୟାରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଡକାଯାଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତି ଜିଲ୍ଲାରେ ଓ୍ଵାର୍ଡ କମିଟି କାର୍ଯ୍ୟ ସରିଯିବା ଦରକାର। ଆଉ ସମୟ ଦିଆଯିବ ନାହିଁ। କମିଟି ସଭ୍ୟମାନେ ନିଜ ସହିତ ୧୦ଜଣଙ୍କୁ ଯୋଡିବା କାର୍ଯ୍ୟ ମଧ୍ୟ ହେବା ଦରକାର। ଜିଲ୍ଲାଓ୍ଵାରୀ ହ୍ଵାଟସ୍ ଅପ୍ ଗ୍ରୁପରେ ଲୋକଙ୍କୁ ଯୋଡିବା ପାଇଁ ମଧ୍ୟ କୁହାଯାଇଥିଲା।
ବିଜେଡିର ଜଣେ ନେତା କହିଛନ୍ତି, ପ୍ରତି କମିଟିରେ ପାଖାପାଖି ୨୧ ଜଣ ରହିବେ ଓ ସେମାନେ ଜଣ ପିଛା ୧୦ଜଣଙ୍କୁ ନିଜ ସହିତ ଯୋଡିବେ। ଏହିଭଳି ପ୍ରାୟ ୧ଲକ୍ଷ ଓ୍ଵାର୍ଡ କମିଟି ଗଠନ ହେବ। କେବଳ ସେତିକି ନୁହେଁ, ପ୍ରତି ଜିଲ୍ଲା ହ୍ଵାଟସ୍ ଆପ୍ କମିଟିରେ ଅନ୍ୟୂନ ୫ହଜାର ଲୋକଙ୍କୁ ଯୋଡାଯିବ। ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖକୁ ଏମାନଙ୍କ ମାଧ୍ୟମରେ ନିଆଯିବ। ଏହାବ୍ୟତୀତ ଆଜିର ବୈଠକରେ ସରକାରଙ୍କ ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମକୁ କିଭଳି ଘରେ ଘରେ ପହଞ୍ଚାଯିବ, ସେନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।
ଗତ କିଛି ଦିନ ଧରି ଜିଲ୍ଲାରେ ସାଂଗଠନିକ ସକ୍ରିୟତା ହ୍ରାସ ପାଇଥିଲା। ଏଣୁ ଆଜି ଶ୍ରୀ ପଟ୍ଟନାୟକ ପୁଣି ଥରେ ତନାଘନା କରିଛନ୍ତି। ଏହା ଫଳରେ ତୃଣମୂଳ ଯାଏ ପ୍ରଭାବ ପଡିବ ବୋଲି ଜଣେ ପର୍ଯ୍ୟବେକ୍ଷକ କହିଛନ୍ତି। ଉଲ୍ଲେଖଥାଉକି, ସବୁ ବିଧାୟକ ଓ ନେତାଙ୍କୁ ସାଙ୍ଗରେ ନେଇ ସମସ୍ତ କାମ କରିବା ଲାଗି ପର୍ଯ୍ୟବେକ୍ଷକଙ୍କୁମାନଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/bjd-7.jpg)