ନୂଆଦିଲ୍ଲୀ : ବିଶ୍ବରେ ମୋଟ ୧୯୫ଟି ରାଷ୍ଟ୍ର ମଧ୍ୟରୁ ମାତ୍ର ୨୦ଟି ରାଷ୍ଟ୍ର ହିଁ ଇଭିଏମ୍ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍) ବ୍ୟବହାର କରୁଛନ୍ତି। ଏହି ୨୦ଟି ରାଷ୍ଟ୍ରରୁ ୬ଟି ରାଷ୍ଟ୍ର ଇଭିଏମ୍ ପ୍ରଚଳନର ପ୍ରାଥମିକ ପର୍ଯ୍ୟାୟରେ ଅଛନ୍ତି। ଭାରତରେ ଇଭିଏମ୍ ବ୍ୟବହାରକୁ ନେଇ ରାଜନୈତିକ ଦଳଗୁଡ଼ିକ ତମ୍ବିତୋଫାନ ସୃଷ୍ଟି କରୁଥିବା ବେଳେ ନିର୍ବାଚନ କମିସନ କିନ୍ତୁ ଇଭିଏମ୍କୁ ସଂପୂର୍ଣ୍ଣ ଭରସାଯୋଗ୍ୟ ଏବଂ ପାରଦର୍ଶୀ ବୋଲି ଦର୍ଶାଇ ଆସୁଛନ୍ତି। କେବଳ ରାଜନୈତିକ କାରଣରୁ ଏବଂ ପରାଜୟ ପରେ କେତେକ ଦଳ ଇଭିଏମ୍କୁ ଦୋଷାରୋପ କରୁଛନ୍ତି ବୋଲି ନିର୍ବାଚନ କମିସନ ଯୁକ୍ତି ଦର୍ଶାଉଥିବା ବେଳେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଇଭିଏମ୍ ଛାଡ଼ି ପୁନଃ ବ୍ୟାଲଟ୍କୁ ଫେରିବାକୁ ଦାବି କରିଛନ୍ତି।
ଏବେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି ଏବଂ ଆଉ କିଛି ଦିନ ମଧ୍ୟରେ ନିର୍ବାଚନୀ ଉଷ୍ମତା ଚରମରେ ପହଞ୍ଚିବ। ବିଶ୍ବର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଇଭିଏମ୍ର ବ୍ୟବହାର ପ୍ରଥମେ ୧୯୮୨ରେ କେରଳର ପାରୁର୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହୋଇଥିଲା। ଅନେକ ରାଷ୍ଟ୍ର ଇଭିଏମ୍ କିଛି ବର୍ଷ ବ୍ୟବହାର କରିବା ପରେ ଏହାକୁ ବନ୍ଦ କରିଦେଇଥିଲେ। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲି ଏବଂ ଆମେରିକା ସାମିଲ ଅଛନ୍ତି। ତେବେ ଭାରତରେ ଇଭିଏମ୍ଗୁଡ଼ିକୁ ଶତ ପ୍ରତିଶତ ସଠିକ୍ ପରିଣାମ ଦେବାପାଇଁ ଯେଉଁଭଳି ପ୍ରସ୍ତୁତ କରାଯାଇଛି ତାହା ଉପରେ ନିର୍ବାଚନ କମିସନ ସଂପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ଏଥର ନିର୍ବାଚନରେ ସମସ୍ତ ଇଭିଏମ୍ ସହ ଭିଭିପିଏଟି (ଭୋଟର୍ ଭେରିଫାଏଡ ପେପର ଅଡିଟ୍ ଟ୍ରାଏଲ) ମେସିନ୍ ସଂଯୋଗ ହେବ। ଫଳରେ ଭୋଟ୍ ଗଣତିକୁ ନେଇ ଆଉ କୌଣସି ଦ୍ବନ୍ଦ୍ବ ରହିବ ନାହିଁ। କିଛି ମାସ ତଳେ ନିର୍ବାଚନ କମିସନ ଇଭିଏମ୍ ହ୍ୟାକ୍ କରିବା ପାଇଁ ହ୍ୟାକର୍ସଙ୍କୁ ଚ୍ୟାଲେଂଜ କରିଥିଲେ। କିନ୍ତୁ କୌଣସି ହ୍ୟାକର୍ ଇଭିଏମ୍ ହ୍ୟାକ୍ କରିବାକୁ ସକ୍ଷମ ହୋଇନତିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/evm.jpg)