ବିଧାନସଭା ନିର୍ବାଚନ ୨୦୧୮ : ଜୋର ଧରିବ ମନ୍ଦିର ରାଜନୀତି

ଭୋପାଳ/ରାୟପୁର/ଜୟପୁର : ନିର୍ବାଚନ କମିସନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ତେବେ ଆଗକୁ ଏହି ନିର୍ବାଚନକୁ ଆଖି‌େର ରଖି ଦଳଗୁଡ଼ିକର ମନ୍ଦିର ରାଜନୀତି ଜୋରଦାର ହେବ ବୋଲି ରାଜନୀତି ବିଶାରଦମାନେ ଆକଳନ ଲଗାଇଛନ୍ତି। ନିର୍ବାଚନ ତାରିଖ ପୂର୍ବରୁ ମଧ୍ୟ କିଛି ପ୍ରମୁଖ ଦଳ ମନ୍ଦିର ରାଜନୀତି ଆରମ୍ଭ କରିଦେଇଛନ୍ତି। ବିଶେଷକରି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ମନ୍ଦିର ରାଜନୀତି ଆଗକୁ ଜୋର ଧରିବ ବୋଲି କୁହାଯାଉଛି। ଏହି ୩ଟି ରାଜ୍ୟରେ ମୋଟ ୫୨୦ ବିଧାନସଭା ଆସନ ମଧ୍ୟରୁ ୨୪୦ ଆସନ ଉପରେ ମନ୍ଦିରର ପ୍ରଭାବ ରହିଛି। ଏହାକୁ ଆଖିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗା‌ନ୍ଧୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ମନ୍ଦିର ରାଜନୀତି ସ୍ବରୂପ ବିଭିନ୍ନ ଧର୍ମପୀଠ ଓ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଦୁଇ ଦଳ ଧର୍ମସ୍ଥଳୀ ଯିବାକୁ ଆଦୌ ଭୁଲୁନାହାନ୍ତି।

ମଧ୍ୟ ପ୍ରଦେଶରେ ୨୩୦ ବିଧାନସଭା ଆସନ ମଧ୍ୟରୁ ୧୦୯ଟିରେ ୮ଟି ଧର୍ମସ୍ଥଳର ପ୍ରଭାବ ରହିଛି। ତେଣୁ ଅମିତ୍‌ ଶାହ ଦୁଇଥର ଉଜ୍ଜୟିନୀର ମହାକାଳ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେହିଭଳି ରାହୁଲ ଗାନ୍ଧୀ ଭୋପାଳର ବିଶ୍ବକର୍ମା ମନ୍ଦିର ଏବଂ ଚିତ୍ରକୁଟର କାମ୍‌ତାନାଥ ମନ୍ଦିର ଯାଇ ପୂଜା କରିଛନ୍ତି। ଅନ୍ୟପକ୍ଷରେ ଛତିଶଗଡ଼ର ୯୦ ବିଧାନସଭା ଆସନ ମଧ୍ୟରୁ ୫୦ ଆସନ ଉପରେ ମନ୍ଦିର ପ୍ରଭାବ ଥିବାରୁ ଅମିତ୍‌ ଶାହ ବମ୍ବେଶ୍ବରୀ ମନ୍ଦିର, ଶଦ୍ଦାନୀ ଦରବାର, ଗିରୌଦପୁରୀ ମନ୍ଦିର ଯାଇଛନ୍ତି। ଏମିତି କି ଶାହ କବୀର ପନ୍ଥର ପନ୍ଥଶ୍ରୀ ପ୍ରକାଶ ମୁନିଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ରାହୁଲ ମଧ୍ୟ ଗିରୌଦପୁରୀ ଆସିଛନ୍ତି।

ଅନ୍ୟପକ୍ଷ‌େର ରାଜସ୍ଥାନରେ ୨୦୦ ଆସନ ମଧ୍ୟରୁ ୮୧ ଆସନ ଉପରେ ୧୪ ପ୍ରମୁଖ ଧର୍ମସ୍ଥଳର ପ୍ରଭାବ ରହିଛି। ଅମିତ୍ ଶାହ ଜୟପୁରର ମୋତିଡୁଙ୍ଗରି, ମେୱଡ଼ାର ଚାରଭୁଜା ଓ ନାଥଦ୍ବାରା, ଯୋଧପୁରର ମସୁରିଆ ବାବା ରାମଦେବ ମନ୍ଦିର ଯାଇଛନ୍ତି। ସେହିଭଳି ରାହୁଲ ଗାନ୍ଧୀ ଜୟପୁରର ଗୋବିନ୍ଦ ଦେବ ଜୀ ଏବଂ ଡୁଙ୍ଗରପୁରର ସିଦ୍ଧେଶ୍ବର ମହାଦେବ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି।

ଆଗକୁ ମଧ୍ୟ ବିଜେପି ଅଧ୍ୟକ୍ଷ ଶାହ ଏବଂ ରାହୁଲଙ୍କ ଏହି ମନ୍ଦିର ପରିଦର୍ଶନ ଅଭିଯାନ ତୀବ୍ରତର ହେବ ବୋଲି ଆଶା କରାଯାଉଛି। ପ୍ରଚାର ବେଳେ ଅମିତ୍ ଶାହ ଦାତିୟାର ପୀତାମ୍ବରା ପୀଠ, ଖଣ୍ଡୱା ନିକଟବର୍ତ୍ତୀ ଓଁକାରେଶ୍ବର ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ରାହୁଲ ଗାନ୍ଧୀ ଉଜ୍ଜୟିନୀର ମହାକାଳ ମନ୍ଦିର ଏବଂ ଦାତିୟାର ପୀତାମ୍ବରା ପୀଠ ଯିବାର ମଧ୍ୟ ଯୋଜନା ଅଛି। କଂଗ୍ରେସ ପକ୍ଷରୁ ରାମ ବନ ଗମନ ପଥଯାତ୍ରା ଆରମ୍ଭ ହୋଇଯାଇଛି। ଦଳର ରଥ ଚିତ୍ରକୁଟରୁ ବାହାରି ୭ଟି ଜିଲ୍ଲାର ୨୭ ବିଧାନସଭା ଆସନ ଦେଇ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ୨୭ ଆସନ ମଧ୍ୟରେ ବିଜେପିର ୧୫, କଂଗ୍ରେସର ୧୧ ଆସନ ରହିଛି। ରାସ୍ତାରେ ୭୫ଟି ବଡ଼ ମନ୍ଦିର ଆସିବ, ଯେଉଁଥିରେ ୭୦ଟି ରାମ ମନ୍ଦିର ଅନ୍ତର୍ଭୁକ୍ତ।

ଅପରପକ୍ଷରେ ଛତିଶଗଡ଼ରେ ଡୋଙ୍ଗରଗଡ଼ର ବ‌ମ୍‌ଲେଶ୍ବରୀ, କବୀରଧାମର ଭୋରମଦେବ ଏବଂ କବୀର ପନ୍ଥ ପ୍ରକାଶ ମୁନିଙ୍କ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନରେ ରାହୁଲ ନାଥଦ୍ବାରାର ଶ୍ରୀନାଥଜୀ ମନ୍ଦିର, ରାଜସମନ୍ଦ ଚାରଭୁଜା ଏବଂ ଚିତୌରଗଡ଼ର ସାଓଁରିଆଜି ଯିବାର କାର୍ଯ୍ୟକ୍ରମ ରହିଛି। ଶାହ ମଧ୍ୟ ରାଜ୍ୟର କିଛି ଧର୍ମସ୍ଥଳ ଭ୍ରମଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର