ନିର୍ବାଚନର ବର୍ଷ ୨୦୧୮:ବିଜେପି ପାଇଁ ସମ୍ମାନ, କଂଗ୍ରେସ ପାଇଁ ଶକ୍ତି ପରୀକ୍ଷା

୮ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଚଳିତ ୨୦୧୮ର ଅଧିକାଂଶ ସମୟ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ କେନ୍ଦ୍ର କରି ବ୍ୟସ୍ତ ରହିବ। ବର୍ଷର ପ୍ରଥମ ଭାଗରେ କଂଗ୍ରେସ ଶାସିତ ମେଘାଳୟ ଠାରୁ ଆରମ୍ଭ କରି ଶେଷ ଭାଗରେ ବିଜେପି ଶାସିତ ରାଜସ୍ଥାନ ଯାଏ ୮ଟି ରାଜ୍ୟରେ ନିର୍ବାଚନ ଦେଖିବାକୁ ମିଳିବ ଯାହା ଉଭୟ କଂଗ୍ରେସ ଓ ବିଜେପି ପାଇଁ ଯଥେଷ୍ଟ ଗୁୁରୁତ୍ୱ ବହନ କରୁଛି।

୨୦୧୭ ବିଧାନସଭା ନିର୍ବାଚନଗୁଡ଼ିକରେ ବିଜେପି ହିଁ ପ୍ରାୟ ସମସ୍ତ ରାଜ୍ୟରେ ବିଜୟର ସ୍ୱାଦ ଚାଖିଛି। ଅପରପକ୍ଷେ, ଗୁଜରାଟ ନିର୍ବାଚନରେ କଂଗ୍ରେସର ନୂଆ ମୁରବି ରାହୁଲ ଗାନ୍ଧୀଙ୍କ କରାମତି ଦେଖିବାକୁ ମିଳିଛି। ତେବେ ରାହୁଲଙ୍କ ପ୍ରକୃତ ଶକ୍ତି ପରୀକ୍ଷା ୨୦୧୮ ବିଧାନସଭା ନିର୍ବାଚନରେ ହିଁ ହେବ। ଏବର୍ଷ ହେବାକୁ ଥିବା ୮ଟି ରାଜ୍ୟର ନିର୍ବାଚନରେ ରାହୁଲଙ୍କ ନେତୃତ୍ୱ କେତେ ଶକ୍ତି ଆହରଣ କରିପାରୁଛି ଏବଂ ତାଙ୍କ ଦଳ ବିଜେପିର ବିକଳ୍ପ ଭାବେ ଜନତାଙ୍କ ପାଖରେ କେତେ ଭରସାଯୋଗ୍ୟ ହୋଇପାରୁଛି, ତାହା ହିଁ ସ୍ପଷ୍ଟ ହୋଇଯିବ। ସେହିପରି ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ନିଜ ପୁରୁଣା ସଫଳତାକୁ ଦୋହରାଇବାଟା ହିଁ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇ ରହିବ। ମୋଟ ଉପରେ ଏହି ୨୦୧୮ର ନିର୍ବାଚନ ହିଁ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦୃଢ଼ ଭିତ୍ତିଭୂମି ପକାଇବ ବୋଲି କୁହାଯାଉଛି।
ନୂଆବର୍ଷର ପ୍ରଥମ ବିଧାନସଭା ନିର୍ବାଚନ ନାଗାଲାଣ୍ଡରେ ଆଗାମୀ ଫେବ୍ରୁଆରିରେ ଦେଖିବାକୁ ମିଳିବ। ୬୦ଟି ଆସନରୁ ଗତଥର ୩୭ଟି ଦଖଲ କରି ଶାସନ କରୁଥିବା ନାଗାଲାଣ୍ଡ୍‌ ପିପୁଲ୍‌ସ ଫ୍ରଣ୍ଟ୍‌(ଏନ୍‌ପିଏଫ୍‌) ଏଥର ମଧ୍ୟ ଶାସନ ବଜାୟ ରଖିବାର ସମ୍ଭାବନା ଅଧିକ। କାରଣ ଗତଥର ସେଠାରେ ଯଥାକ୍ରମେ ୮ଟି ଓ ୨ଟି ଆସନ ପାଇଥିବା କଂଗ୍ରେସ ଓ ବିଜେପିର ରାଜ୍ୟର ରାଜନୈତିକ ଇତିହାସରେ ସେତେଟା ସଫଳତା ପରିଲକ୍ଷିତ ହୋଇନାହିଁ।
ଅପରପକ୍ଷେ, ଫେବ୍ରୁଆରିରେ ହେବାକୁ ଥିବା ମେଘାଳୟ ନିର୍ବାଚନରେ ରାଜ୍ୟବାସୀଙ୍କୁ ଏଥର ବିଜେପି ନିଜ ଆଡ଼କୁ ଟାଣିବ ବୋଲି ଆଶା କରାଯାଉଛି। କାରଣ ୨୦୧୩ରେ ମୋଟ ୬୦ ଆସନରୁ ୨୯ଟି ପାଇ ଶାସନ କରୁଥିବା କଂଗ୍ରେସ ପାଇଁ ସେଠାରେ ସ୍ୱାଧୀନ ପ୍ରାର୍ଥୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ତେବେ ଉତ୍ତରପୂର୍ବ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବିଜେପି ପ୍ରାଣପଣେ ଚେଷ୍ଟା କରିବ।
ତେବେ ତ୍ରିପୁରା ନିର୍ବାଚନ ହିଁ ବେଶ ରୋଚକପୂର୍ଣ୍ଣ ରହିବ। ଦୀର୍ଘ ୫ ଥର ଧରି ସେଠାରେ ଶାସନ କରୁଥିବା ବାମପନ୍ଥୀ ସିପିଆଇ(ଏମ୍‌) ଗତ ଥର ୬୦ ଆସନରୁ ୪୯ଟି ହାସଲ କରିଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ମାନିକ ସରକାର ଖୋଲାଖୋଲି କେନ୍ଦ୍ର ସରକାରଙ୍କୁ ବିରୋଧ କରୁଛନ୍ତି। ସୁତରାଂ ବିଜେପି ସେଠି କିଛି ପ୍ରଭାବ ବିସ୍ତାର ପାଇଁ ଉଦ୍ୟମ କରିବାକୁ ଥିବା ବେଳେ କଂଗ୍ରେସ ମଧ୍ୟ ନିଜ ସ୍ଥିତିରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ।
ସେହିପରି ମିଜୋରାମରେ ମେରାଲ୍ୟାଣ୍ଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ (ଏମ୍‌ଡିଏଫ୍‌)ର ବିଜେପିରେ ବିଲୟ ପରେ ସେଠାରେ ବିଜେପି ଶାସକ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ସମସ୍ତ ବଳ ଖଟାଇବ ବୋଲି ଅନୁମାନ କରାଯାଉଛି।

ସେଠାରେ ମୋଟ ୪୦ ଆସନରୁ ସମ୍ପ୍ରତି ୩୪ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ବିଜେପି ଅନ୍ୟ ବିରୋଧୀ ଦଳଗୁଡ଼ିକୁ ଏକାକାର କରି କଂଗ୍ରେସ ହାତରୁ କ୍ଷମତା ଛଡ଼ାଇନେବାକୁ ଚେଷ୍ଟା କରିବ।
ସବୁଠୁ ବଡ଼ ନିର୍ବାଚନ ଯୁଦ୍ଧ କର୍ଣ୍ଣାଟକ ବିଧାନସଭା ପାଇଁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ୨୨୫ ଆସନ ବିଶିଷ୍ଟ ଏହି ବିଧାନସଭାର କାର୍ଯ୍ୟକାଳ ଆଗାମୀ ମେ ମାସରେ ସରୁଥିବା ବେଳେ ଏପ୍ରିଲ ଭିତରେ ନୂଆ ବିଧାନସଭା ପାଇଁ ମତଗ୍ରହଣ ହେବ ବୋଲି ଅନୁମାନ କରାଯାଏ। ସେଠାରେ ସମ୍ପ୍ରତି ଶାସକ କଂଗ୍ରେସର ୧୨୩ ଜଣ ଏବଂ ବିଜେପିର ୪୪ ଜଣ ବିଧାୟକ ରହିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)ର ୪୦ ଜଣ ସଭ୍ୟଙ୍କ ମଧ୍ୟରୁ ୮ ଜଣ ନିଲମ୍ବିତ ହେବା ପରେ ୩୨ ଜଣ ଅଛନ୍ତି।
ସେହିପରି ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶର ଚଳିତ ବିଧାନସଭା ୨୦୧୯ ଜାନୁଆରିରେ ସରୁଥିବା ବେଳେ ଡିସେମ୍ବର ଆଡ଼କୁ ନୂଆ ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ୨୦୧୩ ନିର୍ବାଚନରେ ସେଠାରେ ବିଜେପି ୧୬୫ଟି ଆସନ ଦଖଲ କରିଥିବା ବେଳେ କଂଗ୍ରେସ ଭାଗରେ ମାତ୍ର ୫୭ଟି ପଡ଼ିଥିଲା। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ଶିବରାଜ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟ ପୂର୍ବ ସଫଳତା ଦୋହରାଇବେ ବୋଲି ଆଶା ରଖିଛନ୍ତି।
ବସୁନ୍ଧରା ରାଜେଙ୍କ ମୁଖ୍ୟମନ୍ତ୍ରିତ୍ୱରେ ପରିଚାଳିତ ରାଜସ୍ଥାନର ବିଜେପି ସରକାର ମଧ୍ୟ ଅନୁରୂପ ସଫଳତା ଆଶା ରଖିଛନ୍ତି। ୨୦୦ ଆସନ ବିଶିଷ୍ଟ ସେହି ବିଧାନସଭାରେ ସମ୍ପ୍ରତି ବିଜେପିର ୧୬୩ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ୨୧ଟି ଆସନରେ ସୀମିତ ରହିଛି। ତେବେ ରାଜ୍ୟରେ ବିଭିନ୍ନ ସମୟରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଘୃଣାଭାବ, ହିଂସା ଓ ହତ୍ୟା ଘଟଣା ବିଜେପି ପାଇଁ ବିଜୟ ବଜାୟ ରଖିବା କଷ୍ଟକର ହେବ। ଅପରପକ୍ଷେ, ୨୦୧୩ରେ କ୍ଷମତା ହରାଇଥିବା କଂଗ୍ରେସ ପୁଣି ଥରେ ଶାସନ ହାତେଇବ ବୋଲି ଆଶା ରଖିଛି।
ଅପରପକ୍ଷେ, ୨୦୧୩ରେ ଲଗାତର ତୃତୀୟ ଥର ପାଇଁ ଛତିଶଗଡ଼ର ଶାସନ ଦଖଲ କରିଥିବା ବିଜେପି ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପାଇଁ କଂଗ୍ରେସ ଠାରୁ କଡ଼ା ଟକ୍କର ସାମନା କରିବାକୁ ପଡ଼ିବ। ଗତ ଥର ୯୦ ଆସନରୁ ୫୦ଟି ହାତେଇଥିବା ବିଜେପି ମଧ୍ୟ ୩୯ଟି ଆସନ ଦଖଲ କରିଥିବା କଂଗ୍ରେସ ସହିତ ଭୀଷଣ ଲଢ଼େଇ କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର