ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ଏଆଇଏଡିଏମକେର ସମସ୍ତ ୨୬ ଲୋକସଭା ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରିଛନ୍ତି । ଆଜି ଲୋକସଭାରେ ରାଫେଲ ବିମାନ ପ୍ରସଙ୍ଗରେ ଆଲୋଚନା ବେଳେ ଏଆଇଡିଏମକେ ସାଂସଦମାନେ ଗୃହକାର୍ଯ୍ୟରେ ବାଧାଦେବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ । ଏଥିପାଇଁ ଏଆଇଡିଏମକେ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ଆଜି ଲୋକସଭାରେ ଚର୍ଚ୍ଚା ଚାଲିଥିବାବେଳେ କାବେରୀ ପ୍ରସଙ୍ଗରେ ଏଆଇଏଡିଏମକେ ସାଂସଦମାନେ ସ୍ଲୋଗାନ ଦେଇ ଗୃହକାର୍ଯ୍ୟରେ ବାଧା ଦେଇଥିଲେ । ଅନ୍ୟପକ୍ଷରେ ରାଫେଲ ପ୍ରସଙ୍ଗରେ ମୋଦିଙ୍କୁ ସୁରକ୍ଷା ଦେବା ପାଇଁ ଏଆଇଡିଏମକେ ଜାଣିଶୁଣି ଏପରି କରିଛି ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ କାବେରୀ ନଦୀ ପ୍ରସଙ୍ଗରେ ତାମିଲନାଡୁକୁ ନ୍ୟାୟ ମିଳୁ ବୋଲି ତାମିଲନାଡ଼ୁର ଦୁଇ ଆଞ୍ଚଳିକ ଦଳ ଏଆଇଏଡିଏମକେ ଓ ଡିଏମକେ ବୁଧବାରଦିନସାରା ଉଭୟ ରାଜ୍ୟସଭା ଓ ଲୋକସଭା କାର୍ଯ୍ୟରେ ବାଧା ସୃଷ୍ଟି କରିବାସହ ସ୍ଲୋଗାନ ଦେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କିଆନାଇଡୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି କରିଦେଇଛନ୍ତି ।