ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରାର୍ଥୀ ତାଲିକାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ ସମେତ ୪ ଜଣ ଦଳୀୟ ବିଧାୟକଙ୍କ ଟିକେଟ୍ କଟିଛି। ଏଥିସହ ୨ ଜଣ ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟ ବଦଳାଇ ଦିଆଯାଇଛି ।
ଏଥର ଶ୍ରୀ ବେହେରା ଟିକେଟ ନ ପାଇବାରେ ପ୍ରଥମ ମନ୍ତ୍ରୀ ହୋଇଥିବା ବେଳେ ବରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ମୋରଡା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ୍ କୁମାର ହାଂସଦାଙ୍କୁ ଟିକେଟ ଦିଆଯାଇନାହିଁ।
ତେବେ ବରୀରେ ଦେବାଶିଷଙ୍କ ସ୍ଥାନରେ ବିଜେପିରୁ ଗତକାଲି ଆସି ଦଳରେ ଯୋଗ ଦେଇଥିବା ସୁନନ୍ଦା ଦାସଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି।
ଅର୍ଥମନ୍ତ୍ରୀ ଶ୍ରୀ ବେହେରାଙ୍କୁ ବାଦ୍ ଦିଆଯାଇ ତାଙ୍କ ପରିବର୍ତ୍ତେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି।
/sambad/media/post_attachments/wp-content/uploads/2019/03/NaveenPatnaik-621x414.jpg)
ଅନ୍ୟପକ୍ଷରେ ବିବାଦୀୟ ହୋଇଥିବା ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କୁ ବଦଳାଇ ତାଙ୍କୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦିଆଯାଇଛି। ସେହିପରି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବଦଳାଇ ବେଗୁନିଆରେ ଶ୍ରୀ ଜଗଦେବଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି।
ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ରଙ୍କୁ ଖୋର୍ଦ୍ଧାର ପ୍ରାର୍ଥୀ ଭାବେ ବଛାଯାଇଛି।
ବସ୍ତା ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁଙ୍କୁ ଦଳ ପକ୍ଷରୁ ପୁନଃ ମନୋନୟନ କରାଯାଇଛି। ସେଠାକାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି ଦଳୀୟ ଟିକେଟ ନ ପାଇବାରୁ ଆଜି ସକାଳେ ଦଳରୁ ଇସ୍ତଫା ଦେଇଥିଲେ।
ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ବିଜୁ ଜନତା ଦଳରେ ନିକଟରେ ଯୋଗ ଦେଇଥିବା ରାଜ କିଶୋର ଦାସଙ୍କୁ ଆଜି ମୋରଡ଼ା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ କରାଯାଇଛି। ମୋରଡ଼ା ବିଧାୟକ ତଥା ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଂଜଦେଓ ଟିକେଟରୁ ବଞ୍ଚତ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି।
ଦେବଗଡ଼ ବିଧାନସଭା ଆସନ ପାଇଁ ନବାଗତ ରୋମାଞ୍ଚ ନାରାୟଣ ବିଶ୍ୱାଳଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଛି। ରାଇରଂଗପୁରର ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଙ୍କୁ ବଦଳାଇ ତାଙ୍କ ସ୍ଥାନରେ ବାସନ୍ତୀ ମାରାଣ୍ଡିଙ୍କୁ ଦଳୀୟ ଟିକେଟ ଦିଆଯାଇଛି।