ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରସଙ୍ଗ : ଶିରୋମଣି ଅକାଳି ଦଳର ସମର୍ଥନ ଲୋଡ଼ିଲା ବିଜେଡି

ନୂଆଦିଲ୍ଲୀ : ସଂସଦ ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ସମର୍ଥନ ପାଇଁ ଆଜି ବିଜେଡି ପକ୍ଷରୁ ଶିରୋମଣି ଅକାଳି ଦଳ ନେତାଙ୍କୁ ସାକ୍ଷାତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶିରୋମଣି ଅକାଳି ଦଳ ସଭାପତି ସର୍ଦାର ସୁଖବୀର ବାଦଲଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ପତ୍ରକୁ ଶିରୋମଣି ଅକାଳି ଦଳ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର ବାଦଲଙ୍କୁ ପ୍ରଦାନ କରାଯାଇଥିଲା। ରାଜ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ଲୋକସଭା ସାଂସଦ ତଥାଗତ ଶତପଥୀ ବିଜେଡିର ପ୍ରତିନିଧିମଣ୍ଡଳୀରେ ସାମିଲ୍‌ ଥିଲେ।  ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଏକ ପ୍ରସ୍ତାବକୁ ସ୍ବାଗତ କରିବା ସହ ବ୍ୟକ୍ତିଗତ ଭାବେ ସେ ଏହାକୁ ସମର୍ଥନ କରୁଛନ୍ତି ବୋଲି ମନ୍ତ୍ରୀ ବାଦଲ କହିଛନ୍ତି। ଉଲ୍ଲେଖ‌ଯୋଗ୍ୟ, ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ସହଯୋଗ ଲୋଡ଼ିଥିଲେ। ଏହାପରେ ସଂସଦରେ ଏହି ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡି ପକ୍ଷରୁ ୭ଟି ଜାତୀୟ ଦଳ ଓ ୧୫ଟି ଆଞ୍ଚଳିକ ଦଳକୁ ଭେଟିବାର ନିଷ୍ପତ୍ତି ନିଆଯାଇଥିଲା। ଏହି ମର୍ମରେ ଆଜି ବିଜେଡି ଶିରୋମଣି ଅକାଳି ଦଳକୁ ଭେଟି ସମର୍ଥନ ଲୋଡ଼ିଥିଲା। ଆସନ୍ତାକାଲି ବିଜେଡି ପ୍ରତିନିଧିମଣ୍ଡଳୀ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୧୫ ତାରିଖରେ ବିଜେଡି ପ୍ରତିନିଧି ମଣ୍ଡଳୀ ମୁମ୍ବାଇ ଗସ୍ତ କରି ଶିବସେନା ମୁଖ୍ୟଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର