ଦେବାଶିଷଙ୍କ ବୟାନ : ତୃତୀୟ ମହଲା କୌଣସି ଦଳୀୟ କାର୍ଯ୍ୟାଳୟ ନୁହେଁ

କୁନ୍ଦୁଲି ପୀଡିତାଙ୍କ ସଂପର୍କରେ ସତ ସାମନାକୁ ଆସୁ

କଟକ : ସଚିବାଳୟର ତୃତୀୟ ମହଲା କୌଣସି ଦଳର କାର୍ଯ୍ୟାଳୟ ନୁହେଁ। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଫିସ୍‌। ତେଣୁ ତାକୁ ବାରମ୍ବାର ଟାର୍ଗେଟ କରି ସାଂସଦ ବୈଜୟନ୍ତ ପଣ୍ଡା ନିଲମ୍ବିତ ହୋଇଛନ୍ତି। ତାଙ୍କର ନିଲମ୍ବନର କୌଣସି ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡିବ ନାହିଁ ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ। ଅନ୍ୟପଟେ କୁନ୍ଦୁଲି ପୀଡିତାଙ୍କ ପ୍ରତି ସମବେଦନା ଜ୍ଞାପନ ସହ ତାଙ୍କ ଶବକୁ ନେଇ ରାଜନୀତି ନହେଉ ବୋଲି ଶ୍ରୀ ସାମନ୍ତରାୟ କହିବା ସହ ଉପଯୁକ୍ତ ତଦନ୍ତ ପ୍ରକ୍ରିୟାରେ ସତ ସାମନାକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି।

ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ସଚିବାଳୟର ତୃତୀୟ ମହଲାରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ଦପ୍ତର। ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥାଏ। ଏହା କୌଣସି ଦଳୀୟ କାର୍ଯ୍ୟାଳୟ ନୁହେଁ। କିନ୍ତୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସବୁବେଳେ ତୃତୀୟ ମହଲାକୁ ଟାର୍ଗେଟ କରୁଥିଲେ। ଏଥିପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଗଲା। ବୈଜୟନ୍ତଙ୍କ ନିଲମ୍ବନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ସମର୍ଥନ ଜଣାଇ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବାରଣ ସତ୍ତ୍ୱେ ସାଂସଦ ଶ୍ରୀ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗକରି ଗଣମାଧ୍ୟମରେ ଦଳ ବିରୁଦ୍ଧରେ ବୟାନବାଜି କରୁଥିଲେ। ଏଥିସହିତ ଅନେକ ସମୟରେ ସେ ସୋସିଆଲ ମିଡିଆରେ ବିବାଦୀୟ ପ୍ରସଙ୍ଗ ଉତଥାପନ କରି ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରୁଥିଲେ। ନିଜ ନିର୍ବାଚନମଣ୍ଡଳୀରେ କର୍ମୀମାନଙ୍କୁ ଉପେକ୍ଷା କରିଚାଲିଥିଲେ। ଫଳରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ତେଣୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନ୍ୟମାନଙ୍କ ସହ ବିଚାର କରି ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

କୁନ୍ଦୁଲି ପୀଡିତାଙ୍କ ସଂପର୍କରେ ଶ୍ରୀ ସାମନ୍ତରାୟ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ଯେଉଁ ଲଭ୍‌ ଆଙ୍ଗେଲ୍‌ର ସୂଚନା ଦେଇଛି, ତାହାର ବି ତଦନ୍ତ ହେଉ। ମେଡିକାଲ୍‌ କଲେଜ, ଅନ୍ୟ ବିଭାଗର ରିପୋର୍ଟର ଉପଯୁକ୍ତ ତର୍ଜମା କରି ସତ ସାମନାକୁ ଅଣାଯାଉ। କିନ୍ତୁ ଜଣେ ପୀଡିତାଙ୍କ ଶବକୁ ନେଇ ରାଜନୀତି କରି ବିଜେପି ଓ କଂଗ୍ରେସ ଯେଭଳି ତଦନ୍ତ ପ୍ରକ୍ରିୟାରେ ଚାପ ପ୍ରୟୋଗ ଉଦ୍ୟମ କରୁଛନ୍ତି, ତାହା ଆଦୌ ଠିକ୍‌ ନୁହେଁ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର