ନୂଆଦିଲ୍ଲୀ : ଓଡ଼ିଶା ପିସିସି ସଭାପତି ପରିବର୍ତ୍ତନ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ମାସରେ ବିଜେପୁର ଉପନିର୍ବାଚନ ହେବାକୁ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନି। ଅପରପକ୍ଷେ, ଆଜି ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ନବକିଶୋର ଦାସ, ଚିରଂଜୀବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ପ୍ରଦୀପ କୁମାର ମାଝୀ ରାଜ୍ୟ କଂଗ୍ରେସର ସଙ୍ଗଠନ ସଂପର୍କରେ ଆଲୋଚନା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ଡାକରାରେ ଆଜି ଏହି ନେତାମାନେ ହାଇକମାଣ୍ଡ ରାହୁଲ ଗାନ୍ଧୀ ଓ ବରିଷ୍ଠ ନେତା କମଲନାଥଙ୍କୁ ପୃଥକ୍ ପୃଥକ୍ ଭାବେ ଭେଟିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ପାଇଁ ଆଜି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଛଅ ଜଣିଆ କମିଟି ଗଢ଼ିଛନ୍ତି। ଏହି କମିଟିରେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ଏହି ପ୍ରାର୍ଥୀ ଚୟନ କମିଟିର ଅନ୍ୟ ସଦସ୍ୟମାନେ ହେଲେ ଶରତ ପଟ୍ଟନାୟକ, ନବକିଶୋର ଦାସ (ସଂଯୋଜକ), ଭକ୍ତଚରଣ ଦାସ ଏବଂ ଅନନ୍ତସାନା ପାଢ଼ୀ। ଦଳର ବିଭିନ୍ନ ନେତା ଏବଂ କର୍ମୀମାନଙ୍କ ସହ ଆଲୋଚନା କରି ଏହି କମିଟି ବିଜେପୁର ଉପନିର୍ବାଚନ ପାଇଁ ଯେଉଁ ନାମକୁ ସୁପାରିସ କରିବେ, ସେଥିରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋହର ମାରିବେ ବୋଲି ଜଣାଯାଇଛି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଆଜି ରାଜ୍ୟର ୪ ବରିଷ୍ଠ ନେତାଙ୍କ ସହ ୩ଟି ପର୍ଯ୍ୟାୟରେ ଆଲୋଚନା କରିଥିବା ଜଣାପଡ଼ିଛି। ସକାଳ ୧୧ଟାରେ ସେମାନେ ପ୍ରଥମେ କମଳନାଥ ଏବଂ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସହିତ ଆଲୋଚନା ହୋଇଥିଲା। ସେମାନେ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପ୍ରଚାର ରଣନୀତି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ଦଳର ଦୁର୍ବଳ ସ୍ଥିତି ସମ୍ପର୍କରେ ସେମାନେ ଅବଗତ କରାଇବା ସହ ସଂଗଠନକୁ ସୁଦୃଢ଼ କରିବାପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ପ୍ରସ୍ତାବ ଦେଇଥିବା କୁହାଯାଉଛି। କମଳାନାଥ ଓ ଜିତେନ୍ଦ୍ର ସିଂହଙ୍କ ସହ ଘଣ୍ଟାଏ କାଳ ଆଲୋଚନା ପରେ ନିରଂଜନଙ୍କୁ ବାଦ୍ ଦେଇ ଅନ୍ୟ ତିନିଜଣ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବାସଭବନକୁ ଯାଇଥିଲେ। ଅପରାହ୍ନ ୧ଟାରୁ ପ୍ରାୟ ୪୫ ମିନିଟ୍ ଧରି ତିନି ନେତା ରାହୁଲଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେମାନେ ପୁଣି କମଳାନାଥଙ୍କ ବାସଭବନକୁ ଫେରିଥିଲେ। ସେଠାରେ କମଳନାଥ ଏବଂ ଜିତେନ୍ଦ୍ର ସିଂହଙ୍କ ସହ ୩୦ ମିନିଟ୍ ଧରି ଆଲୋଚନା କରିଥିଲେ। ତେବେ ଆଲୋଚନାର ନିଷ୍କର୍ଷ କ’ଣ ବାହାରିଲା ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ।
ଅପରାହ୍ନ ୨ଟା ୨୦ରେ ବୈଠକ ସରିବା ପରେ ନିରଂଜନଙ୍କୁ ବାଦ୍ ଦେଇ ପୁଣି ସେହି ତିନି ନେତା ଏଆଇସିସି କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ରାଜ୍ୟ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ବିଧାୟକ ନବ ଦାସଙ୍କ କହିବା ଅନୁଯାୟୀ, ବିଜେପୁର ଉପନିର୍ବାଚନ ନେଇ କଂଗ୍ରେସ କିଭଳି ରଣନୀତି ଆପଣାଇବ ଏବଂ ନିର୍ବାଚନ ପରିଚାଳନା ନେଇ କମିଟି ଗଠନ କରାଯିବ ସେ ସମ୍ପର୍କରେ ଆଜି ହାଇକମାଣ୍ଡ ରାହୁଲ ଗାନ୍ଧୀ, ବରିଷ୍ଠ ନେତା କମଳନାଥ ଓ ଏଆଇସିସି ପ୍ରଭାରୀ ବି.କେ ହରିପ୍ରସାଦଙ୍କ ସହ ଆଲୋଚନା କରିଥିଲେ। ବିଜେପୁର ଉପନିର୍ବାଚନ କଂଗ୍ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ନେତା ଏକଜୁଟ୍ ହୋଇ ନିର୍ବାଚନରେ କିଭଳି ଦଳକୁ ଜିତାଇବେ ସେନେଇ ହାଇକମାଣ୍ଡଙ୍କୁ ଅବଗତ କରାଯାଇଥିବା ସେ କହିଥିଲେ।
ଆଜିର ବୈଠକରେ ପିସିସି ପରିବର୍ତ୍ତନ ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ ବୋଲି ଏହି ନେତାମାନେ କହିଥିବା ବେଳେ ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ବିହାରରେ ପିିସିସି ସଭାପତି ପରିବର୍ତ୍ତନ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତାମାନଙ୍କୁ ଦିଲ୍ଲୀ ଡକାଇ ଚୂଡ଼ାନ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/congress-3.jpg)