୪ଟି ରାଜ୍ୟର ୫ ଆସନରେ ଉପନିର୍ବାଚନ ଡିସେମ୍ବର ୨୧ରେ

ତଥାପି ବିଜେପୁର ତାରିଖ ଘୋଷଣା ହେଲାନି

ନୂଆଦିଲ୍ଲୀ/ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୧ ତାରିଖରେ ୪ଟି ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ହେବ। ଏନେଇ ଶୁକ୍ରବାର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ସୋମବାରଠାରୁ ଉପ ନିର୍ବାଚନ ପାଇଁ ନାମଙ୍କନପତ୍ର ଦାଖଲ କରାଯିବ। ଡିସେମ୍ବର ୨୪ରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଅନ୍ୟ ରାଜ୍ୟର ଉପନିର୍ବାଚନ ସହ ବିଜେପୁରର ତାରିଖ ଘୋଷଣା ହେବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା। କିନ୍ତୁ ନିର୍ବାଚନ କମିସନ୍‌ ବିଜେପୁର ଉପନିର୍ବାଚନ ନେଇ ଘୋଷଣା କଲେ ନାହିଁ। କେବେ ତାରିଖ ଘୋଷଣା ହେବ, ସେ ନେଇ ଅନିଶ୍ଚିତତା ଜାରି ରହିଛି। ଉପନିର୍ବାଚନ ବିଳମ୍ବକୁ ବିଜେଡି ପ୍ରସଙ୍ଗ କରିବା ପାଇଁ ସୁଯୋଗ ମିଳିଯାଇଛି। ବିଜେପି ଚାପରେ ଉପନିର୍ବାଚନ ବିଳମ୍ବ ହେଉଛି ବୋଲି ବିଜେଡି ପୂର୍ବରୁ ଲଗାଇଥିବା ଆରୋପ ସତ୍ୟ ବୋଲି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଯୁକ୍ତି ବାଢ଼ିଛନ୍ତି। ପୂର୍ବରୁ ଲୋକମାନେ ଏ ନେଇ ଯାହା ଆଲୋଚନା କରୁଥିଲେ ତାହା ପ୍ରମାଣିତ ହେଲା ବୋଲି ଶ୍ରୀ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ଆସନ ଖାଲି ପଡ଼ିଛି।

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶର ସିକନ୍ଦ୍ରା, ଅରୁଣାଚଳ ପ୍ରଦେଶର ପକ୍କେ-କସାଙ୍ଗ ଓ ଲିକବାଲୀ,ପଶ୍ଚିମବଙ୍ଗର ସବାଙ୍ଗ ଏବଂ ତାମିଲନାଡୁର ଆର୍‌କେ ନଗର ଆସନ ପାଇଁ ଉପନିର୍ବାଚନ ହେବ। ଏହି ନିର୍ବାଚନରେ ଇଭିଏମ୍‌ ସହ ଭିଭିପିଏଟିର ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର