ବିଜୁ ଯୁବ ବାହିନୀ ପାଇଁ ୪୫୦ କୋଟି

ଭୁବନେଶ୍ୱର : ବିଜୁ ଯୁବ ବାହିନୀ ଗଠନ କରିବା ପାଇଁ ରାଜ୍ୟ ସରକାର ୩ ବର୍ଷରେ ୪୫୦ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏଯାଏ ବିଜୁ ଯୁବ ବାହିନୀରେ ପ୍ରାୟ ୨ ଲକ୍ଷ ୯୨ ହଜାର ଯୁବକ ଯୁବତୀ ସାମିଲ ହୋଇଛନ୍ତି। ଆଜି ବିଧାନସଭାରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏଭଳି ସୂଚନା ଦେଇଛନ୍ତି।

ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କର ଏ ସଂକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱବୋଧ ବୃଦ୍ଧି କରାଯିବ। ଏହାସହିତ ସର୍ବସାଧାରଣଙ୍କ ହିତ ସାଧନ ନିମନ୍ତେ ଆବଶ୍ୟକ ନାଗରିକ ପ୍ରକ୍ରିୟା, ଗୋଷ୍ଠୀ ସେବା, ସ୍ୱେଚ୍ଛାସେବୀପଣ, ନେତୃତ୍ୱ ଇତ୍ୟାଦିର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ପଞ୍ଚାୟତ ଓ ସହରାଞ୍ଚଳରେ ଯୁବକଯୁବତୀମାନଙ୍କୁ ବିଭିନ୍ନ ସମାଜସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରାଯିବ। ସେମାନଙ୍କ ମଧ୍ୟରେ କ୍ରୀଡ଼ା, କଳା ଆଦି ପ୍ରତିଭାର ବିକାଶ କରାଯିବ। ଏହିସବୁ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ପ୍ରତ୍ୟେକ ଯୁବ ବାହିନୀକୁ ବାର୍ଷିକ ଦେଢ଼ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବ।

୧୫ରୁ ୩୫ ବର୍ଷର ଯୁବକ ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି ବୋଲି ସୂଚନା ଦେଇ ମନ୍ତ୍ରୀ କହିଥିଲେ, ପ୍ରତି ବିଜୁ ଯୁବ ବାହିନୀରେ ମୋଟ୍‌ ସଦସ୍ୟଙ୍କର ଏକ ତୃତୀୟାଂଶ ମହିଳା ରହିବେ। ଏଥିରେ ସାମିଲ ହେବା ଲାଗି ଗତ ନଭେମ୍ବର ୨୩ରେ ଅନ୍‌ଲାଇନ୍‌ରେ ଆବେଦନ ପତ୍ର ଆହ୍ଵାନ କରାଯାଇଥିଲା। ଚଳିତ ଏପ୍ରିଲ୍‌ ୫ ତାରିଖ ସୁଦ୍ଧା ମୋଟ୍‌ ୨ଲକ୍ଷ ୯୧ହଜାର ୭୪୬ ଯୁବକ ଯୁବତୀଙ୍କୁ ପଞ୍ଜୀକୃତ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୫ ହଜାର ୨୫୭, ବାଲେଶ୍ୱରରେ ୨୪ ହଜାର ୨୩୮ ଓ କଟକରେ ୨୪ ହଜାର ୨୫୮ ଜଣ ଯୁବକ ଯୁବତୀ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ସେହିପରି ବରଗଡ଼, ଭଦ୍ରକ, ବଲାଙ୍ଗୀର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ପୁରୀ ଜିଲ୍ଲାରେ ୧୦ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ସ୍ୱେଚ୍ଛାସେବୀ ପଞ୍ଜୀକୃତ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ସଂଖ୍ୟା ୧୦ ହଜାରରୁ କମ୍‌ ରହିଛି।

ସମ୍ବନ୍ଧିତ ଖବର