ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଗଠନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩ରେ ଶେଷ ହେବ। ତେବେ, ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆସନ୍ତୁ ଜାଣିବା ଷୋଡ଼ଶ ଲୋକସଭାର କିଛି ଅଜଣା କଥା....

Advertisment

publive-image India.Com

ଷୋଡ଼ଶ ଲୋକସଭାରେ ଥିବା ୫୨୧ ଜଣ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୮୩ ପ୍ରତିଶତ ସାଂସଦ ହେଉଛନ୍ତି କୋଟିପତି। ସେହିପରି ୩୩ ପ୍ରତିଶତ ସାଂସଦଙ୍କ ବିରୋଧରେ ରହିଛି ଅପରାଧିକ ମାମଲା। ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହି ତଥ୍ୟ ଜାଣିବାକୁ ମିଳିଛି। ୨୦୧୪, ଷୋଡ଼ଶ ଲୋକସଭାକୁ ନିର୍ବାଚିତ ହୋଇଥିବା ୫୪୩ ସାଂସଦଙ୍କ ମଧ୍ୟରୁ ୫୨୧ ସାଂସଦ ନିର୍ବାଚନ ସମୟରେ ନିଜ ନିଜର ପ୍ରାର୍ଥୀପତ୍ରରେ ଦାଖଲ କରିଥିବା ସତ୍ୟପାଠକୁ ଅନୁଶୀଳନ କରି ଏହି ତଥ୍ୟ ପ୍ରକାଶ କରିଛି ଏଡିଆର୍‌।

publive-image India.Com

୫୨୧ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୪୩୦ (୮୩%) ସାଂସଦ ହେଉଛନ୍ତି କୋଟିପତି। ଏମାନଙ୍କ ମଧ୍ୟରେ ବିଜେପିର ସର୍ବାଧିକ ୨୨୭ ସାଂସଦ ରହିଥିବା ବେଳେ କଂଗ୍ରେସର ଅଛନ୍ତି ୩୭ ଜଣ ଓ ଏଆଇଏଡିଏମ୍‌କେର ଅଛନ୍ତି ୨୯ ଜଣ।

ଯଦି ସଂପତ୍ତିର ପରିମାଣକୁ ଦେଖାଯାଏ, ତେବେ ଷୋଡଶ ଲୋକସଭାରେ ଥିବା ପ୍ରତି ସାଂସଦଙ୍କର ହାରାହାରି ସଂପତ୍ତିର ପରିମାଣ ହେଉଛି ୧୪.୭୨ କୋଟି। ୩୨ ଜଣ ସାଂସଦଙ୍କର ସଂପତ୍ତିର ପରିମାଣ ୫୦ କୋଟିରୁ ଉର୍ଦ୍ଧ୍ୱ ଥିବାବେଳେ ୨ ଜଣ ସାଂସଦଙ୍କର ସଂପତ୍ତିର ପରିମାଣ ୫ ଲକ୍ଷରୁ କମ୍‌ ରହିଛି।

publive-image India.Com

ସେହିପରି ୫୨୧ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ ୩୩ ପ୍ରତିଶତ ସାଂସଦ ହେଉଛନ୍ତି, ଅପରାଧିକ ପୃଷ୍ଠଭୂମି ଥିବା ସାଂସଦ। ଏମାନଙ୍କ ମଧ୍ୟରୁ ୧୦୬ ଜଣ ନିର୍ବାଚିତ ସାଂସଦଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ସାଂପ୍ରଦାୟିକ ଦଙ୍ଗା, ଅପହରଣ ଏବଂ ମହିଳାଙ୍କ ବିରୋଧରେ ଅପରାଧ ପରି ସଙ୍ଗୀନ୍‌ ମାମଲା ରହିଥିବା ବେଳେ, ୧୦ ଜଣ ସାଂସଦ ସିଧାସଳଖ ହତ୍ୟା ଅପରାଧରେ ସଂପୃକ୍ତ ଥିଲେ। ଏମାନଙ୍କ ମଧ୍ୟରୁ ବିଜେପିର ସର୍ବାଧିକ ୪ ସାଂସଦ ଥିବାବେଳେ କଂଗ୍ରେସ, ଏନ୍‌ସିପି, ଏଲ୍‌ଜେପି, ଆର୍‌ଜେଡି ଓ ସ୍ୱାଭିମାନୀ ପ୍ରକାଶର ଜଣେ ଜଣେ ଥିବାବେଳେ, ଅନ୍ୟ ଜଣେ ସ୍ୱାଧୀନ ସାଂସଦ ମଧ୍ୟ ରହିଛନ୍ତି ଏହି ତାଲିକାରେ।

ଷୋଡ଼ଶ ଲୋକସଭାର ୧୪ ଜଣ ସାଂସଦଙ୍କ ବିରୋଧରେ ରହିଛି ହତ୍ୟା ଉଦ୍ୟମ ମାମଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ୮ ଜଣ ସାଂସଦ ବିଜେପିର ହୋଇଥିବା ବେଳେ, କଂଗ୍ରେସ, ଏଆଇଟିସି, ଏନ୍‌ସିପି, ଆରଜେଡି, ଶିବସେନା ଓ ସ୍ୱାଭିମାନୀ ପ୍ରକାଶର ଜଣେ ଲେଖାଏଁ ନିର୍ବାଚିତ ସାଂସଦ ରହିଛନ୍ତି ଏହି ତାଲିକାରେ। ସେହିପରି ଅନ୍ୟ ୧୪ ଜଣ ନିର୍ବାଚିତ ସାଂସଦଙ୍କ ବିରୋଧରେ ରହିଛି ସାଂପ୍ରଦାୟିକ ଦଙ୍ଗା ଓ ଉତ୍ତେଜନା ସୃଷ୍ଟିର ଅଭିଯୋଗ। ଏମାନଙ୍କୁ ସର୍ବାଧିକ ୧୦ ସାଂସଦ ବିଜେପିର ହୋଇଥିବା ବେଳେ ଟିଆର୍‌ଏସ୍‌, ପିଏମ୍‌କେ, ଅଲ୍‌ ଇଣ୍ଡିଆ ମଜଲିସ୍‌ ଏବଂ ଏଆଇୟୁଡିଏଫ୍‌ର ଜଣେ ଲେଖାଏଁ ସାଂସଦ ରହିଛନ୍ତି।