ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛି ଆମ୍ ଆଦ୍ମୀ ପାର୍ଟି(ଆପ୍) ଓଡ଼ିଶା ଶାଖା। ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତିି ଯେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ବିଏମ୍ସିର ଅଭ୍ୟନ୍ତରୀଣ ଅଡିଟ୍ କରିବାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥା ଏସ୍.ଆର.ବି. ଆସୋସିଏଟ୍କୁ ନିଯୁକ୍ତ କରାଯାଇଥିଲା। ଏଥିରେ ବିଏମ୍ସିରେ ଚାଲିଥିବା ମହାଦୁର୍ନୀତି ପଦାକୁ ଆସିଛି। ବିଏମ୍ସିର ବିଭିନ୍ନ ବ୍ୟାଙ୍କରେ ୧୮୫ଟି ଆକାଉଣ୍ଟ ରହିଛି। ମାତ୍ର ଅଡିଟରମାନେ ଅଡିଟ୍ କରିବା ମଧ୍ୟରେ ବିଏମ୍ସି କର୍ତୃପକ୍ଷ ସେଥିରୁ ୬୦ଟି ଆକାଉଣ୍ଟର ବ୍ୟାଙ୍କ ଷ୍ଟେଟ୍ମେଣ୍ଟ କିମ୍ବା ବାଲାନ୍ସ କନ୍ଫରମେସନ୍ ସାର୍ଟିଫିକେଟ୍ ଦେଇ ନ ଥିଲେ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଅଡିଟର ଦର୍ଶାଉଛନ୍ତି ଯେ ନଗଦ ଓ ବ୍ୟାଙ୍କ ମାଧ୍ୟମରେ ବିଏମ୍ସି ଗ୍ରହଣ କରିଥିବା ଟଙ୍କା ପାଇଁ ରସିଦ ଦିଆଯାଉ ନାହିଁ। ଦୈନିକ ଅର୍ଥ ଆଦାୟ ବହି ରଖାଯାଇ ନାହିଁ। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି କି ବଡ଼ ଧରଣର ଦୁର୍ନୀତି ହୋଇଛି। ବିଏମ୍ସି ପାଖରେ ସ୍ଥାୟୀ ସମ୍ପତ୍ତିର ରେଜିଷ୍ଟର ନାହିଁ। ତେଣୁ ବିଏମ୍ସି ପାଖରେ କେତେ ଜମି, ସ୍ଥାବର ସମ୍ପତ୍ତି ଓ ଲାଇଟ୍ ସିଷ୍ଟମ, ବିଲଡିଂ, ବ୍ରିଜ୍, କଲଭର୍ଟ, ପୋଲ, ଡ୍ରେନ୍ କେଉଁଠି ଅଛି ତାହା ଜଣାଇବାକୁ ଅଡିଟର ସକ୍ଷମ ହୋଇପାରିଲେ ନାହିଁ। ବିଏମ୍ସିରେ ଯେତିକି ସାମଗ୍ରୀ ରହିଛି ତାହାର ଓଏମ୍ଏଆର-୧୨ ଅନୁଯାୟୀ ମୂଲ୍ୟାୟନ ହୋଇ ନାହିଁ। ଷ୍ଟକ୍ ରେଜିଷ୍ଟରରେ ସେସବୁ ଜିନିଷର ମୂଲ୍ୟ ବି ଲେଖାଯାଇ ନାହିଁ। ବିଏମ୍ସି ଖାତାରେ ନିର୍ଦିିଷ୍ଟ କାମ ପାଇଁ ଆସିଥିବା ବିଭିନ୍ନ ଗ୍ରାଣ୍ଟର ଟଙ୍କା ଖର୍ଚ୍ଚ ହୋଇ ନ ପରି ୭୪.୩୪ କୋଟି ଟଙ୍କା ବହୁ ବର୍ଷ ହେଲା ଗଡ଼ି ଆସୁଛି। କେଉଁ ବର୍ଷ କେତେ ଓ କେଉଁ କାର୍ଯ୍ୟ ଲାଗି କେତେ ଟଙ୍କା ରହିଛି ତାହାର ହିସାବ ବିଏମ୍ସି ପାଖରେ ନାହିଁ।
ସେହିପରି ରାଜ୍ୟ ସରକାରଙ୍କଠାରୁ ବିଏମ୍ସି ୨.୯୬ କୋଟି ଟଙ୍କାର ଅଣବନ୍ଧକ ଋଣ ଆଣିଥିଲା ବୋଲି ହିସାବ ଖାତାରେ ଗଡ଼ୁଛି। ମାତ୍ର ସେହି ଋଣର ସବିଶେଷ ତଥ୍ୟ ବିଏମ୍ସି ଦେଇପାରିଲା ନାହିଁ। ବିଏମ୍ସି ଯେଉଁ ବାର୍ଷିକ ବଜେଟ୍ ଗୃହୀତ କରିଥିଲା, ବାସ୍ତବ ଖର୍ଚ୍ଚଠାରୁ ତାହାର ପାର୍ଥର୍କ୍ୟ ୩୪ ପ୍ରତିଶତ ଥିଲା। ବିଏମ୍ସି ବିଭିନ୍ନ କଣ୍ଟ୍ରାକ୍ଟର, ଏଜେନ୍ସି ଓ ଅଫିସରଙ୍କୁ ୬ କୋଟି ୭୦ ଲକ୍ଷ ଟଙ୍କାର ଅଗ୍ରୀମ ଦେଇଥିଲେ ମଧ୍ୟ ତାହାର ହିସାବ ଆସି ନାହିଁ। ଅଡିଟର ବାରମ୍ବାର ଲିଖିତ ଓ ମୌଖିକ ଭାବେ କର୍ମଚାରୀଙ୍କ ଦରମା ଓ ଉପସ୍ଥାନ ରେଜିଷ୍ଟର ମାଗିଥିଲେ ମଧ୍ୟ ବିଏମ୍ସି ତାହା ଦେଖାଇଲା ନାହିଁ। ବିଏମ୍ସି ଦ୍ୱାରା ପରିଚାଳିତ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ଅନ୍ୟମାନେ ଏଥିରେ ସାମିଲ ଦର୍ଶାଇ ମେୟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆପ୍। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଆଗାମୀ ଦିନରେ ଆପ୍ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।