ଭୋପାଳ: ମଧ୍ୟପ୍ରଦେଶର ଦମୋହ ବିଧାନସଭା ଆସନର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ପ୍ରାର୍ଥୀନି ଚାହତ ପାଣ୍ଡେଙ୍କର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଖୁବ୍‌ ‌ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ‘ଆପ୍‌’ ଆଶାୟୀ ‘ସିମ୍ବା’ ଚଳଚ୍ଚିତ୍ରର ‘ଲଡ଼କା ଆଖଁ ମାରେ’ ଗୀତରେ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Advertisment

୧ ମିନିଟ୍‌ ୬ ସେକେଣ୍ଡ୍‌ର ଉକ୍ତ ଭାଇରାଲ୍‌ ଭିଡିଓରେ ‘ଆପ୍‌’ ପ୍ରାର୍ଥୀନି ତଥା ଅଭିନେତ୍ରୀ ଚାହତ ଖୁବ୍ ସୁନ୍ଦର ଭାବେ ନାଚୁଥିବାର ଦେଖିବାକୁ ମିଳିଛି। ଅବଶ୍ୟ ଏହି ଭିଡିଓ କେବେକାର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଚାହତଙ୍କ ଏହି ଭିଡିଓକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। କେହି କେହି ଚାହତଙ୍କ ପକ୍ଷରେ କମେଣ୍ଟ୍‌ କରୁଛନ୍ତି ତ ପୁଣି କେହି ସେହି ଭିଡିଓକୁ ନିନ୍ଦା ବି କରୁଛନ୍ତି।

କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ କହିବା କଥା ହେଉଛି ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଚାହତ ପାଣ୍ଡେ ଛୋଟ ପରଦାର ଅଭିନେତ୍ରୀ ଥିଲେ। ସେଥିପାଇଁ ନାଚିବା, ବା ନାଚିକରି ଭିିଡିଓ ପୋଷ୍ଟ୍‌ କରିବାରେ କୌଣସି ଅସୁବିଧା ନାହିଁ। ତେବେ ଆଉ କିଛି ଲୋକ ଏହାକୁ ଭୁଲ୍‌ ବୋଲି କହିଛନ୍ତି।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ଅଭିନେତ୍ରୀ ଚାହତ ପାଣ୍ଡେ ଅନେକ ଟିଭି ସୋ’ରେ କାମ କରି ସାରିଛନ୍ତି। ସେ ୧୭ ବର୍ଷ ବୟସରୁ ଟିଭି ସୋ’ ‘ପବିତ୍ର ବନ୍ଧନ’ରୁ ନିଜର ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ।