ଆପ୍‌ରୁ ସୁଶୀଲ, ନାରାୟଣ ଏବଂ ସଞ୍ଜୟ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆପ୍‌ ଆଜି ଏହାର ୩ ପ୍ରାର୍ଥୀଙ୍କୁ ମନୋନୀତ କରିଛି। ପ୍ରତିଷ୍ଠିତ ଚାର୍ଟାଡ ଆକାଉଣ୍ଟାଣ୍ଟ୍‌ ତଥା ଇନଷ୍ଟିଚ୍ୟୁଟ୍‌ ଅଫ ଚାର୍ଟାଡ ଆକାଉଣ୍ଟାଣ୍ଟ୍‌ସ ଅଫ ଇଣ୍ଡିଆର ସଭାପତି ନାରାୟଣଦାସ ଗୁପ୍ତା, ବ୍ୟବସାୟୀ ଏବଂ ସାମାଜିକ କର୍ମୀ ସୁଶୀଲ ଗୁପ୍ତା ଏବଂ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ସଞ୍ଜୟ ସିଂହଙ୍କୁ ରାଜ୍ୟସଭା ନିର୍ବାଚନ ପାଇଁ ଆପ୍‌ ମନୋନୀତ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ଗୃହରେ ଆଜି ଦଳର ଏକ ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ତେବେ ଅନେକ ଦିନ ଧରି ଏହି ସୁଯୋଗକୁ ଅପେକ୍ଷା କରିଥିବା ଦଳର ପ୍ରତିଷ୍ଠାତା ସଦସ୍ୟ କୁମାର ବିଶ୍ୱାସଙ୍କୁ ଆପ୍‌ ବାଦ୍‌ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟିପତି ସୁଶୀଲ ଗୁପ୍ତା କହିଛନ୍ତି ଯେ ସେ ଲୋକଙ୍କ ସେବାରେ ଅହରହ ନିୟୋଜିତ ଅଛନ୍ତି। ୨୦୧୩ ମସିହାରେ ସେ କଂଗ୍ରେସ ଟିକେଟରେ ମୋତି ନଗର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ଏବଂ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ କମିସନଙ୍କ ନିକଟରେ ଦାଖଲ ହୋଇଥିବା ୨୦୧୩ ସତ୍ୟପାଠ ଅନୁଯାୟୀ ସୁଶୀଲ ଗୁପ୍ତାଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୬୪ କୋଟି ଟଙ୍କା। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଆପ୍‌ର ସଂଖ୍ୟାଗରିଷ୍ଠତା ରହିଥିବାରୁ ଏହା ସମସ୍ତ ୩ଟି ରାଜ୍ୟସଭା ଆସନରେ ଦଳୀୟ ପ୍ରାର୍ଥୀ ନିର୍ବାଚିତ ହେବାରେ କୌଣସି ପ୍ରତିବନ୍ଧକ ନାହିଁ।

ସମ୍ବନ୍ଧିତ ଖବର