ଆଚରଣ ବିଧି ଲାଗୁ ହେବା ୨୪ ଘଣ୍ଟା ପୂରିଲା: ହଟିଲା ନେତାଙ୍କ ହୋଡିଂ, ବ୍ୟାନର ଓ ପୋଷ୍ଟର

ଭୁବନେଶ୍ବର : ୨୦୧୯ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଲାଗୁ ହୋଇଛି ଆଚରଣ ବିଧି । ଆଉ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ପୋଷ୍ଟର ଓ ହୋଡିଂକୁ ହଟାଇ ଦିଆଯାଇଛି । ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ଶାସକ ଦଳ ବିଜେଡି ଏବଂ ବିଜେପି ପକ୍ଷରୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଳିତ ପୋଷ୍ଟର ଓ ହୋର୍ଡିିଂ ପ୍ରମୁଖ ଛକ ସ୍ଥାନମାନଙ୍କରେ ଲାଗି ରହିଥିଲା । ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ହୋଡିଂ ଓ ପୋଷ୍ଟରକୁ ହଟାଇ ଦିଆଯାଇଛି ।

ଆସନ୍ତା ବିଧାନସଭା ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ପରେ ବିଭିନ୍ନ ଜିଲ୍ଲାର ପ୍ରଶାସନ ରାସ୍ତାଘାଟରୁ ହୋଡିଂ, ବ୍ୟାନର ଓ ପୋଷ୍ଟର ହଟାଇବା ଆରମ୍ଭ କରିଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଶାସନ ତତ୍ପର ହୋଇ ଉଠିନ୍ତି। ରାୟଗଡା ଓ ଗୁଣୁପୁର ସହର ମୁଖ୍ୟ ରାସ୍ତା କଡରୁ ସରକାରୀ ପୋଷ୍ଟର, ବ୍ୟାନର ଓ ହୋଡିଂ ହଟିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ପୋଷ୍ଟରକୁ ରବିବାର ସଂଧ୍ୟାରୁ ହଟାଇବା କାମ ଜାରି ରଖିଛି ରାୟଗଡା ଜିଲ୍ଲା ପ୍ରଶାସନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ୨୪ ଘଣ୍ଟା ଭିତରେ ଏସବୁକୁ ହଟେଇବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ଏପ୍ରିଲ ୧୧ ତାରିଖରେ ରାୟଗଡା ଜିଲ୍ଲାର ରାୟଗଡା, ବିଷମକଟକ ଓ ଗୁଣୁପୁର ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

ଯାଜପୁରରେ ହୋଡିଂ ଭାଙ୍ଗିବା ପାଇଁ ତତ୍ପର ହୋଇ ଉଠିଛି ପ୍ରଶାସନ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ବିଭିନ୍ନ ଅଂଚଳରେ ଲାଗିଥିବା ହୋଡିଂ ଗୁଡିକୁ ହଟାଇ ଦିଆଯାଇଛି । ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ଉପସ୍ଥିତିରେ ବ୍ୟାସନଗର ପୌରପରିଷଦର କାର୍ଯ୍ୟନିର୍ବାହି ଅଧିକାରୀ ସପନ କୁମାର ନନ୍ଦ ଏବଂ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ହୋଡିଂ ଗୁଡିକ କଢାଯାଇଛିି । ସେହିପରି ଫୁଲବାଣୀ ଜିଲ୍ଲାରେ ମଧ୍ୟ ଲାଗିଥିବା  ହୋଡିଂ, ବ୍ୟାନର ଓ ପୋଷ୍ଟର ମଧ୍ୟ ହଟାଇ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ପ୍ରଶାସନ  ହୋଡିଂ, ବ୍ୟାନର ଓ ପୋଷ୍ଟର ହଟାଇଛି। ଏଥିସହ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସ୍ବାଗତ ପାଇଁ ଲାଗିଥିବା ବ୍ୟାନରକୁ ପ୍ରଶାସନ ହଟାଇ ଦେଇଛି।

ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ କୌଣସି ରାଜନୈତିକ ଦଳର ପୋଷ୍ଟର ଏବଂ ବ୍ୟାନର ସରକାରୀ ସ୍ଥାନ ବା ସରକାରୀ କାନ୍ଥରେ ଲଗାଯାଇ ପାରିବ ନାହିଁ । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ ।

ସମ୍ବନ୍ଧିତ ଖବର