ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟିକରଣ ପରେ ଟୁଇଟ୍‌ ପ୍ରତ୍ୟାହାର କଲେ କପିଲ୍ ସିବଲ

ନୂଆଦିଲ୍ଲୀ: କଂଗ୍ରେସ୍ ୱାର୍କିଙ୍ଗ୍ କମିଟି (ସିଡବ୍ଲୁସି) ବୈଠକରେ ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟ କଥା ଶୁଣିବା ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଅସନ୍ତୋଷ ବ୍ୟକ୍ତ କରି ପୋଷ୍ଟ୍‌ କରିଥିବା ଟୁଇଟ୍‌କୁ ପ୍ରତ୍ୟାହାର କରିନେଇଛନ୍ତି।

ରିପୋର୍ଟ ମିଳିଥିଲା, ରାହୁଲ କହିଛନ୍ତି ଯେ କଂଗ୍ରେସର ଅଭ୍ୟନ୍ତରୀଣ ବ୍ୟବସ୍ଥାକୁ ପୂର୍ଣ୍ଣରୂପେ ଯାଞ୍ଚ କରିବାକୁ ଅନୁରୋଧ କରି କିଛି ଲୋକ ଲେଖିଥିବା ଚିଠିଟି ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇଛି। ସିବଲ୍‌ ସେ ଲୋକମାନଙ୍କ ମଧ୍ୟରୁ ଜଣେ।

କଂଗ୍ରେସର ମୁଖପାତ୍ର ରଣଦୀପ ସିଂହ ସୂର୍‌ଜେୱାଲା ତୁରନ୍ତ ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ। ସେ ଟୁଇଟ୍‌ କରି ସ୍ପଷ୍ଟିକରଣ ଦେଇ କହିଥିଲେ, ଶ୍ରୀ ଗାନ୍ଧୀ ଏ ପ୍ରକାର ପଦୁଟିଏ କଥା କହିନାହାନ୍ତି କି, କାହା ଦ୍ବାରା କୁହାଇ ନାହାନ୍ତି। ଗଣମାଧ୍ୟମର ଅପପ୍ରଚାରରେ ବିଭ୍ରାନ୍ତ ହୁଅନ୍ତୁ ନାହିଁ। କିନ୍ତୁ ହଁ, ଲଢ଼େଇ କରି ପରସ୍ପରକୁ ଓ କଂଗ୍ରେସକୁ କ୍ଷତାକ୍ତ କରିବା ଠାରୁ ବରଂ ମୋଦୀଙ୍କ ଡ୍ରାକୋନୀୟ ଶାସନ ବିରୋଧରେ ଲଢ଼ିବାକୁ ଆମେ ସମସ୍ତେ ଏକତ୍ର କାର୍ଯ୍ୟ କରିବା ଆବଶ୍ୟକ।

Image Courtesy of India Today

ଏହା ପରେ ସିବଲ୍‌ କହିଥିଲେ ଯେ, ସେ ଟୁଇଟ୍‌ ପ୍ରତ୍ୟାହାର କରିନେଉଛନ୍ତି। ଟୁଇଟ୍ କରି ସେ ଲେଖିଥିଲେ, ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧୀ ମତେ କହିଲେ ଯେ ତାଙ୍କ ନାଁରେ ଯାହା କୁହାଯାଉଛି ସେ କଦାପି ସେମିତି କହିନାହାନ୍ତି।

ପୂର୍ବରୁ ଅସନ୍ତୋଷ ବ୍ୟକ୍ତ କରି ସିବଲ୍ କହିଥିଲେ, ଗତ ୩୦ ବର୍ଷ ମଧ୍ୟରେ ସେ କଦାପି ବିଜେପି ସପକ୍ଷରେ କୌଣସି ବିବୃତି ଦେଇ ନାହାନ୍ତି। ବରଂ କେତେକ ସଙ୍କଟ ସମୟରେ ସେ ଏବଂ ଅନ୍ୟ ନେତାମାନେ କଂଗ୍ରେସକୁ ସମର୍ଥନ କରିଛନ୍ତି।

ସିବଲ୍‌ଙ୍କ ବ୍ୟତୀତ ବର୍ଷିୟାନ୍ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ ମଧ୍ୟରେ ବିବାଦୀୟ ଚିଠିର ସ୍ବାକ୍ଷରକାରୀଙ୍କ ମଧ୍ୟରୁ ଅନ୍ୟତମ।

 

ସମ୍ବନ୍ଧିତ ଖବର