ନିଜ ବାସଭବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା, ଭିଡିଓ ଭାଇରାଲ୍‌

କୋଲକାତା: ନିର୍ବାଚନ କମିସନଙ୍କ ପକ୍ଷରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବା ପୂର୍ବରୁ ନିଜ ବାସଭବନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କୋଲକାତାସ୍ଥିତ ବାସଭବନରେ ହୋମଯଜ୍ଞ ଆୟୋଜନ କରି ନିଜେ ଯଜ୍ଞରେ ଆହୁତି ଦେଉଥିବା ସମୟର ଭିଡିଓ ସାମ୍ନାକୁ ଆସିଛି। ମମତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଭିଡିଓଟି ସେୟାର‌ ହୋଇଛି। ପୁରୀ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ପରିଚାଳନାରେ ଏହି ପୂଜା କାର୍ଯ୍ୟ ହୋଇଥିବା ସୂଚନା ମିଳିଛି। ସେଠାରେ ଉପସ୍ଥିତ ଥିବା ତୃଣମୂଳ କଂଗ୍ରେସର ଅନ୍ୟ ନେତାମାନେ ମଧ୍ୟ ଯଜ୍ଞରେ ଆହୁତି ଦେଇଥିଲେ। ଏହାପରେ ମମତାଙ୍କ ସମେତ ସମସ୍ତେ ‘ହରିବୋଲ’ ଧ୍ବନି ଦେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିସହ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଦିନମଜୁରିଆଙ୍କ ଦୈନିକ ମଜୁରୀରେ ବୃଦ୍ଧି ଘୋଷଣା କରିଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆଜି ଦିଲ୍ଳୀରେ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ ଏବଂ ପୁଡୁଚେରି ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ପଶ୍ଚିମବଙ୍ଗର ୨୯୪ଟି ଆସନ, ତାମିଲନାଡ଼ୁର ୨୩୪ଟି ଆସନ,କେରଳର ୧୪୦ଟି ଆସନ,ଆସାମର ୧୨୬ଟି ଆସନ ଓ ପୁଡ଼ୁଚେରିର ୩୦ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହାସହିତ କେରଳର ମାଲ୍ଲାପୁରମ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏସବୁ ନିର୍ବାଚନ ହେବ ବୋଲି ଶ୍ରୀ ଆରୋରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର