ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜି ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ରାଜ୍ୟ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ପାଇଁ ଏଆଇସିସି ସମ୍ପାଦକ ଭାବେ ତିନି ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ସହିତ ଆଦିତ୍ୟ ଶର୍ମାଙ୍କୁ ଓଡ଼ିଶା ପାଇଁ ଏଆଇସିସି ଯୁଗ୍ମ ସମ୍ପାଦକ ଦାୟିତ୍ୱ ମିଳିଛି। ଜଣେ ସହ ପ୍ରଭାରୀଙ୍କ ବଦଳରେ ୪ଜଣ ନେତାଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ଏହା ଫଳରେ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ପରିବର୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱରୁ ବି.କେ.ହରିପ୍ରସାଦଙ୍କୁ ଅପସାରଣ କରାଯାଇ ତାଙ୍କ ସ୍ଥାନରେ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଥିଲା।
ଆଜି ଏଆଇସିସି ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଓଡ଼ିଶା କଂଗ୍ରେସ ପାଇଁ ଚାରିଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ସାଧାରଣ ସଂପାଦକ ଅଶୋକ ଗେହଲଟ୍ ସୂଚନା ଦେଇଛନ୍ତି। ନିଯୁକ୍ତି ପାଇଥିବା ଏଆଇସିସି ସଦସ୍ୟମାନେ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ କୁମାର ଚୌଧୁରୀ, ପୂର୍ବତନ ବିଧାୟକ ଶେଖ୍ ମସ୍ତାନ ଓ୍ଵାଲି ଏବଂ ଏଆଇସିସି ଯୁଗ୍ମ ସମ୍ପାଦକ ଆଦିତ୍ୟ ଶର୍ମା।
ଓଡ଼ିଶା କଂଗ୍ରେସରେ କନ୍ଦଳ ଲାଗି ରହିଥିବା ସାଙ୍ଗକୁ ସଂଗଠନର ଦ୍ରୁତ ହାରରେ ଅଧୋଗତି ଘଟୁଥିବା ସଂପର୍କରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା, ବିଧାୟକମାନେ ଏଆଇସିସି କର୍ମକର୍ତ୍ତାଙ୍କ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ। ବିଶେଷ କରି ରାଜ୍ୟ ପିସିସି ନେତୃତ୍ୱ ପରିବର୍ତନ ପାଇଁ ପ୍ରବଳ ଦାବିର ସ୍ୱର ଉଠିଥିଲା। ତେବେ ବିଳମ୍ବରେ ଓଡ଼ିଶା ପ୍ରତି ଏଆଇସିସିର ଆଭିମୁଖ୍ୟରେ ପରିବର୍ତନ ଘଟୁଥିବା ପରିଲକ୍ଷିତ ହେଉଛି। ପ୍ରଥମେ ହରିପ୍ରସାଦଙ୍କୁ ହଟାଇ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ଅବସ୍ଥାପିତ କରାଗଲା। ଏହାର ମାତ୍ର କିଛି ଦିନ ପରେ ଆଜି ଚାରିଜଣଙ୍କୁ ଓଡ଼ିଶା ପାଇଁ ନିଯୁକ୍ତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/subhanakar.jpg)