ରିଟର୍ଣ୍ଣିଂ ଅଫିସରଙ୍କ ରିପୋର୍ଟ : ରାହୁଲ୍‌ ହେଲେ କଂଗ୍ରେସ ସଭାପତି, ଖାଲି ଘୋଷଣା ବାକି

ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ଓ ସର୍ବବୃହତ ରାଜନୈତିକ ଦଳ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧୀ ଏକ ରକମର ନିର୍ବାଚିତ ହୋଇଯାଇଛନ୍ତି। ଏ ସଂପର୍କିତ ଆନୁଷ୍ଠାନିକ ଘୋଷଣା କେବଳ ମାତ୍ର ବାକି ରହିଛି ଯାହା।

ଆଜି ସନ୍ଧ୍ୟାରେ ୨୪ ଆକବର ରୋଡ୍‌ରେ ଥିବା ଦଳର ମୁଖ୍ୟ କାର୍ଯ୍ୟାଳୟରୁ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର ମୁଲ୍ଲାପାଲ୍ଲୀ ରାମଚନ୍ଦ୍ରନ୍‌ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଜାରି କରିଥିବା ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଯାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ରିପୋର୍ଟରେ ଶ୍ରୀ ରାମଚନ୍ଦ୍ରନ୍‌ ଉଲ୍ଲେଖ କରିଛନ୍ତି ଯେ ଦଳର ନୂତନ ସଭାପତି ପଦବି ପାଇଁ ଦେଶର ସମସ୍ତ ରାଜ୍ୟରେ ଥିବା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସର୍ବମୋଟ ୮୯ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା। ଏବଂ ଦାଖଲ ହୋଇଥିବା ସବୁ ପ୍ରାର୍ଥୀପତ୍ରରେ ରାହୁଲ ଗାନ୍ଧୀଙ୍କୁ ଦଳର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିଲା। ଯାଞ୍ଚପରେ ଦାଖଲ ହୋଇଥିବା ସମସ୍ତ ୮୯ ସେଟ୍‌ ପ୍ରାର୍ଥୀପତ୍ର କାଏମ୍‌ ରହିଛି। ତେବେ, ସବୁ ପ୍ରାର୍ଥୀପତ୍ର ରାହୁଲ ଗାନ୍ଧୀଙ୍କ ସପକ୍ଷରେ ଦାଖଲ ହୋଇଥିବା ଦୃଷ୍ଟିରୁ ଦଳର ସଭାପତି ପ୍ରାର୍ଥୀ ଭାବେ ଏକମାତ୍ର ପ୍ରାର୍ଥୀ ରାହୁଲ ଗାନ୍ଧୀ ରହିଥିବା, ସେ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଦଳର ନୂତନ ସଭାପତି ନିର୍ବାଚନ ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର ମୁଲ୍ଲାପାଲ୍ଲୀ ରାମଚନ୍ଦ୍ରନ୍‌ଙ୍କ ଏହି ରିପୋର୍ଟ ପରେ ରାହୁଲ ଗାନ୍ଧୀ ଦଳର ନୂତନ ସଭାପତି ହୋଇଯାଇଥିବା ଏକରକମ ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର