ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ ନେଇ ବୁଧବାର ରାଜ୍ୟ କଂଗ୍ରେସ ଭବନରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ କହିଛନ୍ତି, ଦଳୀୟ ନେତାଙ୍କ ମଧ୍ୟରେ ମତାନ୍ତର ନେଇ ବୈଠକରେ ଆଲୋଚନା ହୋଇଛି।
କଂଗ୍ରେସର ବରିଷ୍ଠ ନେତା ଶ୍ରୀ ବିଶ୍ୱାଳ କହିଛନ୍ତି, ଶ୍ରୀକାନ୍ତ ଜେନାଙ୍କ ଆଚରଣ ନେଇ ବୈଠକରେ କମିଟିର ସଦସ୍ୟମାନେ ନିଜ ନିଜ ମତ ରଖିଛନ୍ତି। କମିଟିର ମତାମତକୁ ଏଆଇସିସି ନିକଟକୁ ପଠାଯିବ। ଯେହେତୁ ଶ୍ରୀକାନ୍ତ ଜେନା ଏଆଇସିସି ସଦସ୍ୟ, ତେଣୁ ତାଙ୍କର ବିଷୟରେ ଏଆଇସିସି ନିଷ୍ପତ୍ତି ନେବ।
ହେମାନନ୍ଦ ବିଶ୍ୱଳଙ୍କ ମନ୍ତବ୍ୟ ପରେ ଶ୍ରୀକାନ୍ତ ଜେନା ନିଜର ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦଳୀୟ ଶୃଙ୍ଖଳା ଭଙ୍ଗ କ’ଣ ମୁଁ ଜାଣି ନାହିଁ। ଏ ସଂପର୍କରେ ପିସିସି ଅଥବା ଏଆଇସିସି ଯଦି କିଛି ପଚାରେ, ତା’ହେଲେ ଉତ୍ତର ରଖିବି।
ସୂଚନାଯୋଗ୍ୟ, ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ଯାହାର ପ୍ରତିଫଳନ ତାଙ୍କୁ ପିସିସି ଇସ୍ତାହାର ଅଧ୍ୟକ୍ଷ ପଦବୀରୁ ହିଁ ବାହାର କରାଯିବା ପରେ ସ୍ପଷ୍ଟ ହୋଇଥିଲା। ପିସିସି ପୁର୍ନଗଠନ ହେବା ପରେପରେ ଓଡ଼ିଶାରେ ଜଣେ ଦଳିତଙ୍କୁ କଂଗ୍ରେସଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ଘେରରେ ପଡିଥିଲେ ଶ୍ରୀକାନ୍ତ। କୃଷ୍ଣ ସଗରିଆଙ୍କୁ ମଧ୍ୟ ଶ୍ରୀକାନ୍ତ ଉସୁକାଉଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଇବା ପରେ ତାଙ୍କ ସ୍ଥାନରେ ଏଆଇସିସି ପକ୍ଷରୁ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରାଯାଇଥିଲା।