ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ସରିଥିବାବେଳେ ଦିଲ୍ଲୀରେ ଏନଡିଏ ବୈଠକ ଜାରି ରହିଛି | ତେବେ ଏହି ବୈଠକରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଯୋଗ ଦେଇଥିଲେ। ତେବେ ବୈଠକରେ ଅଜିତ ପାୱାର ଲୋକସଭାରେ ବିଜେପି ସହ ମେଣ୍ଟ ଘୋଷଣା କରିଛନ୍ତି। ଏନଡିଏ ବୈଠକରେ ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ଆମେ ଏକାଠି ରହିବୁ। ମିଳିତ ଭାବେ ଲୋକସଭା ନିର୍ବାଚନରେ ଲଢ଼ି ଅଧିକ ଆସନ ଜିତିବୁ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଭବିଷ୍ୟତରେ ଏନଡିଏ ଅଧିକ ଶକ୍ତିଶାଳୀ ହେବ ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ୪୫ଟି ଆସନ ଜିତିବ। ଦେବେନ୍ଦ୍ର ଫଡନାଭିସଙ୍କ ସହ ମିଶି ୪୫ଟି ଆସନ ଜିତିବୁ। ଉଲ୍ଲେଖ ଥାଉ କି ଯେ, ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନ ଅଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ଏବଂ ଲୋକସଭା ନିର୍ବାଚନ ପୂର୍ବରୁ ସମଗ୍ର ଦେଶରେ ଏକ ବଡ଼ ରାଜନୈତିକ ନାଟକ ଦେଖିବାକୁ ମିଳିଛି | ଅଜିତ ପାୱାର ଏନସିପିରେ ବିଦ୍ରୋହ କରିଥିବାବେଳେ ଶରଦ ପାୱାରଙ୍କ ପାର୍ଟିରେ ବିଭାଜନ ହୋଇଛି । ଅଜିତ ପାୱାରଙ୍କ ସହ ମୋଟ ନଅ ଜଣ ବିଧାୟକ ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ଅଜିତ ପାୱାରଙ୍କୁ ଅର୍ଥ ଏବଂ ଯୋଜନା ବିଭାଗର ଦାୟିତ୍ୱ ଦିଆଯାଇଥିଲା। ଏବେ ଅଜିତ ପାୱାର ମଧ୍ୟ ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।