ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ି ପାରନ୍ତି ଅଖିଳେଶ ଯାଦବ: ରିପୋର୍ଟ

ନୂଆଦିଲ୍ଲୀ: ନିଷ୍ପତ୍ତି ନେବା ପାଇଁ ବହୁ ବିଳମ୍ବ କରିବା ପରେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନ କରି ବରଂ ରାଜ୍ୟର ପ୍ରତ୍ୟେକ ଆସନ ପ୍ରତି ଧ୍ୟାନ ଦେବେ ବୋଲି ପୂର୍ବରୁ ସେ କହିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଅଖିଳେଶ ଯାଦବ ପୂର୍ବ ଉତ୍ତର ପ୍ରଦେଶ ଅନ୍ତର୍ଗତ ଆଜମଗଡ଼ରୁ ଲୋକସଭା ସାଂସଦ ଅଛନ୍ତି। ଏଯାବତ୍‌ ତାଙ୍କ ପାଇଁ ବିଧାନସଭା ଆସନ ସ୍ଥିର କରାଯାଇ ନ ଥିବା କୁହାଯାଉଛି।

ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତା ଯୋଗୀ ଆଦିତ୍ୟନାଥ ପୂର୍ବାଞ୍ଚଳ ଉତ୍ତର ପ୍ରଦେଶର ଗୋରଖପୁର ସଦର ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ ‘ସମାଜବାଦୀ ପାର୍ଟି’ର ମୁଖ୍ୟଙ୍କ ଉପରେ ଚାପ ପଡୁଛି। କାରଣ, ଗୋରଖପୁର ମଥର ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ଏହି ସନ୍ନ୍ୟାସୀ‌ ନେତାଙ୍କର ପ୍ରଭାବ ରହିଛି। ତେଣୁ, ତାଙ୍କଦ୍ବାରା ‘ବିଜେପି’ ସେ ଅଞ୍ଚଳରୁ ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିବାକୁ ଯୋଜନା କରିଛି।

Image Courtesy of India Today

ପ୍ରାପ୍ତ ସୂଚନା ଅନୁସାରେ, ଅଖିଳେଶ ଯାଦବ ପୂର୍ବାଞ୍ଚଳ ଉତ୍ତର ପ୍ରଦେଶ କିଂବା ଲକ୍ଷ୍ନୌ ଭଳି କେନ୍ଦ୍ରୀୟ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପାରନ୍ତି। ସେ ଏକାଧିକ ଆସନରୁ ମଧ୍ୟ ପ୍ରତି‌ଦ୍ବନ୍ଦ୍ବିତା କରିବେ ବୋଲି ଶୁଣାଯାଉଛି।

ନଭେମ୍ବର ମାସରେ ଅଖିଳେଶ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ। କିନ୍ତୁ, ତାଙ୍କ ଦଳ ତୁରନ୍ତ କହିଥିଲା କି, ଦଳ ଏଭଳି କୌଣସି ନିଷ୍ପତ୍ତି ଗ୍ରହଣ କରିନାହିଁ।

‘ବିଜେପି’ରେ ଯୋଗ ଦେବା ପାଇଁ ଭାଇବୋହୂ ଅପର୍ଣ୍ଣା ଯାଦବ ଦିଲ୍ଲୀ ଗସ୍ତରେ ଅଛନ୍ତି ବୋଲି ସୂଚନା ମିଳୁଥିବା ସମୟରେ ଅଖିଳେଶ ଯାଦବ ମଧ୍ୟ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି ରିପୋର୍ଟ ମିଳିଛି। ମୁଲାୟମ୍‌ ସିଂହଙ୍କ ସାନପୁଅ ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣା ଆଜି ପୂର୍ବାହ୍ନ ୧୦.୩୦ରେ ‘ବିଜେପି’ରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ୨୦୧୭ରେ ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ୍‌ ଆସନରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ଅପର୍ଣ୍ଣା ‘ବିଜେପି’ ପ୍ରାର୍ଥିନୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର