ପଟ୍ଟାମୁଣ୍ଡାଇ: ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଆଜି ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଖୁବ୍ଶୀଘ୍ର ସେ ବିଜେପିରେ ଯୋଗଦେବେ ବୋଲି ଜଣାପଡ଼ିଛି।
ଗତ ୩ ତାରିଖ ଦିନ ରାଜନଗରଠାରେ ଆୟୋଜିତ ସମାବେଶ ପରଠାରୁ ଶ୍ରୀ ଜେନାଙ୍କ ଇସ୍ତଫାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଏହି ସମାବେଶରେ ସେ ବିଜେଡି ବିରୁଦ୍ଧରେ ବିଷୋଦ୍ଗାର କରିଥିଲେ। ଏବଂ, ସେ ସିଧାସଳଖ କହିନଥିଲେ ମଧ୍ୟ ତାଙ୍କ ସମର୍ଥକମାନେ ବିଜେପିରେ ଯୋଗଦେବା ନେଇ ସଙ୍କେତ ଦେଇଥିଲେ। ଏହି ଘଟଣା ପରେ ତାଙ୍କୁ ମନାଇବା ପାଇଁ ବିଜେଡି ସୁପ୍ରିମୋ ଦୁଇ ଜଣ ପୂର୍ବତନ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଥିଲେ। ମାତ୍ର, ସବୁପ୍ରକାର ଉଦ୍ୟମ ବିଫଳ ହୋଇଥିଲା। ଶେଷରେ, ଶ୍ରୀ ଜେନା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ସମିତି ସଭ୍ୟରୁ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିବା ଶ୍ରୀ ଜେନା ଗତ ଦୁଇଟି ନିର୍ବାଚନରେ ଚର୍ଚ୍ଚାକୁ ଆସିଥିଲେ। ୨୦୦୯ ମସିହା ନିର୍ବାଚନରେ ସେ ରାଜନଗର ନିର୍ବାଚନମଣ୍ଡଳୀରୁ ୭ ଥର ନିର୍ବାଚିତ ହୋଇ ଆସିଥିବା ବରିଷ୍ଠ ତଥା ତୁଙ୍ଗ ନେତା ନଳିନୀକାନ୍ତ ମହାନ୍ତିଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ତାଙ୍କ ରାଜନୈତିକ ପତିଆରାକୁ ବୃଦ୍ଧି କରିଥିଲା। ମାତ୍ର, ଗତ ୨୦୧୪ ମସିହା ନିର୍ବାଚନରେ ସେ ବିଜେଡିରୁ ଟିକେଟ୍ ପାଇଥିଲେ ମଧ୍ୟ ନାମାଙ୍କନ ପତ୍ର ଦାଖଲର କେଇ ଘଣ୍ଟା ପୂର୍ବରୁ ତାହାକୁ କାଟି ଦିଆଯାଇଥିଲା। ତାଙ୍କ ବଦଳରେ ବର୍ତ୍ତମାନର ବିଜେଡି ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କୁ ଟିକେଟ ଦିଆଯାଇଥିଲା। ଏହାପରଠାରୁ ସେ ଦଳ ମଧ୍ୟରେ ଏକ କୋଣଠେସା ହୋଇ ରହୁଥିଲେ ଏବଂ କୌଣସି ଦଳୀୟ କାର୍ଯ୍ୟକ୍ରମରେ ପ୍ରାୟତଃ ତାଙ୍କୁ ଦେଖିବାକୁ ମିଳିନଥିଲା।
ବିଜେଡିରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗଦେବା ଏକପ୍ରକାର ନିଶ୍ଚିତ ହୋଇଛି। ମାତ୍ର, ସେ ନିଜ ଆଡୁ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।
ବିଜେଡିରୁ ଅଲେଖଙ୍କ ଇସ୍ତଫା
/sambad/media/post_attachments/wp-content/uploads/2017/10/d5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)