ନିର୍ବାଚନ ପାଇଁ ବିଜେପିର ରଣନୀତି : ନିର୍ବାଚନ ଯାଏ ସଭାପତି ରହିବେ ଅମିତ ଶାହ

ନୂଆଦିଲ୍ଲୀ : ୨୦୧୯ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଏବଂ ଏହାପୂର୍ବରୁ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ଆଜି ଏଠାରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ନିର୍ବାଚନ ପାଇଁ ଖୁବ୍‌ କମ୍‌ ସମୟ ରହିଯାଇଥିବାରୁ ଏବେ ସାଂଗଠନିକ ନିର୍ବାଚନ ନକରିବା ଲାଗି ସ୍ଥିର ହୋଇଛି। ଏହାସହିତ ଅମିତ ଶାହଙ୍କ ନେତୃତ୍ୱରେ ମଧ୍ୟ ଏହି ନିର୍ବାଚନ ଲଢାଯିବ। ଆସନ୍ତା ଜାନୁଆରୀରେ ତାଙ୍କ କାର୍ଯ୍ୟକାଳ ସରିଯାଉଥିଲେ ମଧ୍ୟ ସାଧାରଣ ନିର୍ବାଚନ ସଂପନ୍ନ ହେବା ପର୍ଯ୍ୟନ୍ତ ସେ ପାର୍ଟି ସଭାପତି ପଦରେ ରହିବେ।

ବିଜେପିର ଜଣେ ନେତା କହିଛନ୍ତି ଯେ ସାଧାରଣ ନିର୍ବାଚନ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ହେବାର ସମ୍ଭାବନା ରହିଛି। ତେଣୁ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନରେ କୌଣସି ପରିବର୍ତ୍ତନ ନ ଆଣିବାକୁ ବିଜେପି ନିଷ୍ପତ୍ତି ନେଇଛି। ବିଜେପିର ନିଜସ୍ୱ ନିୟମ ଅନୁସାରେ ଜଣେ ନେତା ଦଳର ଅଧ୍ୟକ୍ଷ ଭାବେ କ୍ରମାଗତ ଦୁଇଟି ୩ ବର୍ଷିଆ କାର୍ଯ୍ୟକାଳ ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳି ପାରିବେ। ଶାହଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜାନୁଆରିରେ ଶେଷ ହେଉଥିବା ବେଳେ ଏହାକୁ ବୃଦ୍ଧି କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନ ପରେ ଶାହଙ୍କୁ ରାଜନାଥ ସିଂହଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ଦଳର ଚାଣକ୍ୟ ବୋଲି ମଧ୍ୟ କୁହାଯାଏ। ଅତୀତରେ ଶାହଙ୍କ ଅଧିକାଂଶ ରଣନୀତି ବିଜେପିକୁ ସଫଳତାର ସ୍ୱାଦ ଚଖାଇଛି। ତେଣୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲେ କୌଣସି ଅସୁବିଧା ନାହିଁ ବୋଲି ଦଳ ବିଚାର କରିଛି।

ବିଜେପିର ପଶ୍ଚିମବଙ୍ଗ ମୁଖ୍ୟ ଦିଲୀପ ଘୋଷ କହିଛନ୍ତି, ବର୍ତ୍ତମାନ ଦଳର ନୂଆ ନେତା ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏବେ ସାଧାରଣ ନିର୍ବାଚନ ଉପରେ ଦଳର ଆଖି ରହିଛି। ତା’ଛଡ଼ା ଆଗକୁ ତେଲେଙ୍ଗାନାକୁ ମିଶାଇ ମୋଟ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ତେଣୁ ସାଂଗଠନିକ ପରିବର୍ତ୍ତନ ଅପେକ୍ଷା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ଅଧିକ ଜରୁରୀ। ତାହାକୁ ବିଚାର କରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଶାହଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି।

ଇତିମଧ୍ୟରେ ଆଜିର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇ ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ତାଙ୍କ ପାର୍ଟି ୨୦୧୪ ତୁଳନାରେ ଅଧିକ ଆସନ ଜିତିବ। ବିଜେପିକୁ ହଟାଇବା ଲାଗି ବିରୋଧୀଙ୍କ ମହାମେଣ୍ଟ କିଛି କାମ ଦେବନାହିଁ। ମହାମେଣ୍ଟ କେବଳ ଏକ ଧୂଆଁବାଣ। ସେ କହିଲେ ଯେ ଦେଶକୁ ଯୋଡ଼ିବା ଲାଗି ବିଜେପି ଉଦ୍ୟମ ଚଳାଇଥିବା ବେଳେ କଂଗ୍ରେସ ଦେଶକୁ ଭାଙ୍ଗିବା ଲାଗି ଚକ୍ରାନ୍ତ ଚଳାଇଛି।

ଆଜିର ଅଧିବେଶନରେ ସ୍ଥିର ହୋଇଥିଲା ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ବିଭିନ୍ନ କଲ୍ୟାଣକାରୀ ଯୋଜନାରୁ ୨୨ କୋଟି ଲୋକ ଉପକୃତ ହୋଇଛନ୍ତି। ବିଜେପିର କର୍ମୀ ସେମାନଙ୍କ ନିକଟକୁ ଯାଇ ସରକାରଙ୍କ ସଫଳତା ସଂପର୍କରେ ବୁଝାଇବେ।

ସୂଚନାଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ୫୪୩ ଆସନ ମଧ୍ୟରୁ ବିଜେପି ଏକାକୀ ୨୮୨ ଆସନ ହାସଲ କରିଥିଲା।

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ସମସ୍ତ ବିଜେପି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କର୍ମକର୍ତା ଯୋଗ ଦେଉଛନ୍ତି। ମୋଦୀ ଆସନ୍ତାକାଲି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର