୫-ଟିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ‘ପୁରୁଣା କଥା’ ମନ୍ତବ୍ୟର କଡ଼ା ଜବାବ ଦେଲେ ଅରୂପ ପଟ୍ଟନାୟକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ‘୫-ଟି’ର ରୂପାୟନ ଏବେ ଚର୍ଚ୍ଚାରେ ରହିଛି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ବଢୁଛି ବିବ‌ାଦ । ବିରୋଧୀ ଦଳ ବିଭିନ୍ନ ସମୟରେ ୫-ଟିକୁ ନେଇ କଟାକ୍ଷ କରୁଥିବା  ବେଳେ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ୫-ଟିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ୫-ଟିରେ ନୂଆ କିଛି ନାହିଁ, ଏହା ପୁରୁଣା କଥା। ଏଭଳି ପୁରୁଣା ଚିନ୍ତାଧାରା ୨୦ ବର୍ଷ ହେଲା କାହିଁକି ମନେପଡୁ ନଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଏଥିସହ ସେ କହିଛନ୍ତି କି ସେ ଆଇଏଏସ୍ ପରୀକ୍ଷାରେ ପାସ ହେବା ପରେ ମସୌରୀ‌ରେ ଟ୍ରେନିଂ ନେବା ବେଳେ ଏହି ୫-ଟି କଥା ତାଙ୍କୁ ଶିଖାଯାଇଥିଲା। ଆଜି ଏହାକୁ ଲାଗୁ କରିବା ଅର୍ଥ ଗତ ୨୦ ବର୍ଷ ଭିତରେ ପ୍ରଶାସନରେ ପାରଦର୍ଶିତା ନ ଥିଲା। ସରକାରଙ୍କ ଏହି କାର୍ଯ୍ୟକ୍ରମ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ପାରିବାପଣିଆ, ତାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେପଟେ ଅପରାଜିତାଙ୍କ ୫-ଟି ସମାଲୋଚନାର ଜବାବ ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ  ଅରୂପ ପଟ୍ଟନାୟକ । ସେ କହିଛନ୍ତି, ୫-ଟି ସମ୍ପୂର୍ଣ୍ଣ ନୂଆ ପଦକ୍ଷେପ। ଆଇଏଏସ ଓ ଆଇପିଏସ ଟ୍ରେନିଂରେ ସେଭଳି କିଛି ପଢ଼ାଯାଏ ନାହିଁ। ମୁଁ ଆଇପିଏସ୍ ଟ୍ରେନିଂ ବେଳେ କେବଳ ଲେଫ୍ଟ-ରାଇଟ ଛଡା ଆଉ କିଛି ଶିଖିନାହିଁ । ଲୋକଙ୍କ ସହ କେମିତି ମିଶିବାକୁ ପଡେ ସେ ସଂପର୍କରେ ଆଦୌ କିଛି କୁହାଯାଏନି । ଏହାପରେ ସାଂସଦ ଅପରାଜିତାଙ୍କ ମନ୍ତବ୍ୟ ସଂପର୍କରେ ପଚରାଯିବାରୁ ସେ କହିଥିଲେ, ମୁଁ ଜାଣିନି ସେ ଭଦ୍ର ମହିଳା ଯଦି ଟ୍ରେନିଂ ବେଳେ ସେମିତି କିଛି ଶିଖିଥିବେ । ଅନ୍ୟ ପକ୍ଷରେ   ୫-ଟିର ମୂଳ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସୁବିଧା ଦେବା । ସେମାନଙ୍କ ସମସ୍ୟା ଦୂର କରିବା ସହ ଭଦ୍ର ବ୍ୟବହାର ଦେବା, ଯାହା ସୁଶାସନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ କି ଭୁବନେଶ୍ବର ଲୋକସଭା ଆସନରୁ ଏହି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ପରସ୍ପର ବିରୋଧରେ ନିର୍ବାଚନୀ ମଇଦାନ‌ରେ ଅବତୀର୍ଣ୍ଣ ହୋଇଥିଲେ। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାଜିତ କରିଥିଲେ ବିଜେପି ପ୍ରାର୍ଥୀ ଅପରାଜିତା।

ସମ୍ବନ୍ଧିତ ଖବର