ଅପରାଜିତାଙ୍କୁ ସ୍ବାଗତ କଲେ ବିଜେପି କର୍ମୀ

ଲିଙ୍ଗରାଜଙ୍କୁ ଦର୍ଶନ କଲେ, ରାସ୍ତାକଡ଼ରେ ବସି ଚା’ ପିଇଲେ

ଭୁବନେଶ୍ବର : ନୂଆଦିଲ୍ଲୀରେ ଗତ ୨୭ ତାରିଖରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଲା ପରେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ବରରେ ଫେରିଛନ୍ତି। ପୂର୍ବାହ୍ନରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ।

ଗଣମାଧ୍ୟମକୁ ଅପରାଜିତା‌ କହିଥିଲେ, ଓଡ଼ିଶାକୁ ଅତ୍ୟନ୍ତ ପ୍ରଗତିଶୀଳ ଓ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା। ସକରାତ୍ମକ ରାଜନୀତି କରିବାକୁ ମୁଁ ଆସିଛି। ଲୋକସେବା ପାଇଁ ରାଜନୀତି ଏକ ବଳିଷ୍ଠ ମାଧ୍ୟମ। ସେଥି ପାଇଁ ୧୧ ବର୍ଷର ଚାକିରି ଛାଡ଼ି ରାଜନୀତିକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଆଦର୍ଶରେ ସେ ଅନୁପ୍ରାଣିତ ବୋଲି କହିଥିଲେ।

ବିମାନବନ୍ଦରରୁ ଅପରାଜିତା ସିଧାସଳଖ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ତାହା ପରେ ‌ବିନ୍ଦୁସାଗର ଓ ଦେବୀ ପାଦହରା ପୁଷ୍କରିଣୀ ବୁଲି ଦେଖିଥିଲେ। ପୁରୁଣା ଭୁବନେଶ୍ବରର ରାସ୍ତାକଡ଼ରେ ବସି ଚା’ ପିଇବା ସହ ଅଟୋଚାଳକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଭୁବନେଶ୍ବର ସହରର ଉନ୍ନତି ପାଇଁ ସେମାନଙ୍କ ସହଯୋଗ କାମନା କରିଥିଲେ। ଅପରାଜିତା ବିଏମ୍‌ସି କମିସନର୍ ଥିବା ସମୟରେ କିପରି ଉନ୍ନତିମୂଳକ କାର୍ଯ୍ୟ କରିଥିଲେ, ସେ ସମ୍ପର୍କରେ କିଛି ଲୋକ ମନେ ପକାଇଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ଏକାମ୍ର ବିଜେପି ପକ୍ଷରୁ ଅମୀୟ ଦାଶଙ୍କ ଅଧ୍ୟକ୍ଷତାରେ ଅପରାଜିତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦଳର ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଉର୍ମିଳା ମହାପାତ୍ର ଓ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ଜିଲ୍ଲା ଓ ସମସ୍ତ ମଣ୍ଡଳର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆଜି ବିମାନବନ୍ଦରରେ ଅପରାଜିତାଙ୍କୁ ସ୍ବାଗତ ବେଳେ ବିଏମ୍‌ସିର କିଛି ପୂର୍ବତନ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା। ଆସନ୍ତା ୧ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର