୨୭ରେ ପଦ୍ମ ଧରିବେ ଅପରାଜିତା, ଦିଲ୍ଲୀରେ ହେବ ମିଶ୍ରଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଲା ପରେ ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚାର ପୂର୍ଣ୍ଣଛେଦ ଆସନ୍ତା ସପ୍ତାହରେ ପଡ଼ିବ। ୨୭ ତାରିଖରେ ନୂଆଦିଲ୍ଲୀରେ ଅପରାଜିତା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହେବେ। ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ପଦ୍ମ ଧରିବେ। ଏହି ମିଶ୍ରଣ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ସେ ଭୁବନେଶ୍ବର ଫେରିଲା ପରେ ଡିସେମ୍ବର ୧ ତାରିଖରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯିବ। ସେଠାରେ ଅପରାଜିତାଙ୍କୁ ସ୍ବାଗତ କରାଯିବ।

ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିବା ପୂର୍ବରୁ ଅପରାଜିତା ନୂଆଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହ ଏକାଧିକ ବାର ବୈଠକ କରି ରାଜନୀତିରେ ପାଦ ଥାପିବାକୁ ନିଷ୍ପତ୍ତି ନେଇଥିଲେ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ରାଜନୀତିରେ ଯୋଗ ଦେବାକୁ ଉତ୍ସାହିତ କରିଥିବା କୁହାଯାଉଛି। ତାଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ ଗୃହୀତ ହୋଇ ନ ଥିବାରୁ ଏ ନେଇ ସେ ମୁହଁ ଖୋଲୁ ନ ଥିଲେ। ଇସ୍ତଫାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନୁମୋଦନ ଦେଲା ପରେ ସେ ରାଜନୀତିକୁ ଯିବା ନେଇ ଇଙ୍ଗିତ ଦେଇଥିଲେ।

ଅପରାଜିତା ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ଭୁବନେଶ୍ବରରେ ବିଏମ୍‌ସି କମିସନର୍ ଥିବା ସମୟରେ ସେ ପାଇଥିବା ଲୋକପ୍ରିୟତାକୁ ପୁଞ୍ଜି କରି ଦଳ ଏଠାରେ ତାଙ୍କୁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛି। ଏ ନେଇ ନିଜେ ଅପରାଜିତା କିମ୍ବା ଦଳୀୟ କର୍ମକର୍ତ୍ତା ଏ ଯାଏ ମୁହଁ ଖୋଲି ନାହାନ୍ତି। ଅପରାଜିତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ଓ ମୋଦୀ ହାୱାକୁ ଦଳ ଭରସା କରିଥିଲେ ବି ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ସାତଟିଯାକ ବିଧାନସଭା ଆସନରେ ବିଜେପି ସଂଗଠନ ସେତେ ମଜବୁତ୍ ନାହିଁ। ଗୋଟିଏ ଦୁଇଟି ନିର୍ବାଚନମଣ୍ଡଳୀକୁ ଛାଡ଼ି ଦେଲେ ସବୁଠି ଦଳରେ ଗୋଷ୍ଠୀକନ୍ଦଳ ବି ରହିଛି। ସାଧାରଣ ନିର୍ବାଚନ ଆଉ କମ୍ ସମୟ ଥିଲା ବେଳେ ଅପରାଜିତା କିପରି ଦଳର ସଂଗଠନକୁ ସଜାଡ଼ି ନିର୍ବାଚନକୁ ସାମ୍ନା କରିବେ, ସେ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆକଳନ ଚାଲିଛି। ରାଜ୍ୟ ରାଜନୀତିରେ ଭୁବନେଶ୍ବର ଏକ ଗୁରୁତ୍ବପୂର୍ଣ୍ଣ ଆସନ ହୋଇଥିବାରୁ ବିଜେପିରେ ଅପରାଜିତାଙ୍କ ଯୋଗଦାନ ଉପରେ ସମସ୍ତଙ୍କ ନଜର ରହିଛି। ଏପରିକି ଦଳରେ ଅପରାଜିତାଙ୍କୁ କୌଣସି ଗୁରୁତ୍ବପୂର୍ଣ୍ଣ ପଦପଦବି ମିଳିବା ନେଇ ମଧ୍ୟ ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର