ତାରାଙ୍କ କ୍ଷୋଭ: ମୋ ମୃତ୍ୟୁ ପରେ ଏନ୍‌ଏସି ହେବ ବୋରିଗୁମ୍ମା

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମହକୁମା ଏନଏସି ମାନ୍ୟତା ପାଇବା ପାଇଁ ସମସ୍ତ ମାନଦଣ୍ଡ ପୂରଣ କରୁଛି। କିନ୍ତୁ ରାଜ୍ୟ ସରକାର ମାନ୍ୟତା ନଦେଇ ୩ବର୍ଷ ହେଲା ଲୋକଙ୍କ ଦାବିକୁ ଝୁଲାଇ ରଖିଛନ୍ତି। ଅପରପକ୍ଷରେ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନରେ ବିଜୟୀ ହେବାକୁ ତତ୍ପର ରାଜ୍ୟ ସରକାର ବିଜେପୁରକୁ ଏନଏସି ମାନ୍ୟତା ଦେଲେ। ତେଣୁ ମୁଖ୍ୟମନ୍ତ୍ରୀ ଏବେ ଜୟପୁର ବିଧାୟକଙ୍କ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ବିଧାୟକଙ୍କ ମୃତ୍ୟୁ ପରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ବୋରିଗୁମ୍ମାକୁ ଏନଏସି ମାନ୍ୟତା ଦେବେ ବୋଲି ସାଧାସଳଖ ଅଭିଯୋଗ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ଆଜି ଜୟପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାହିନୀପତି ପୁଣି କହିଥିଲେ, ସେ ବିଧାୟକ ଭାବେ ନିର୍ବାଚନ ହେବାପରେ ୨୦୧୫ ମସିହାରୁ ଉପରୋକ୍ତ ଦାବି କରି ଆସୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ବିଧାନସଭାରେ ଏନେଇ ବହୁବାର ପ୍ରଶ୍ନ କରିଛନ୍ତି। କିନ୍ତୁ ପ୍ରତ୍ୟେକ ଥର ସରକାର ଅଣଦେଖା କରି ଆସିଛନ୍ତି। ସେହିପରି ଜୟପୁରରୁ ରବି ନନ୍ଦ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବିଭିନ୍ନ ବିଭାଗର ମନ୍ତ୍ରୀ ହୋଇଥିଲେ। ସେ ମଧ୍ୟ ଆନ୍ତରିକତା ଦେଖାଇ ନଥିଲେ। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରାଜ୍ୟର ୧୪ଟି ପଞ୍ଚାୟତକୁ ଏନଏସି କରିବାକୁ କହିଥିଲେ। ସେଥିରେ ବୋରିଗୁମ୍ମା ମଧ୍ୟ ରହିଥିଲା। କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ଓ ତୃତୀୟ ମହଲାରୁ ଚାପ ହେତୁ ଏହା ନାଲି ଫିତା ତଳେ ରହି ଯାଇଛି ବୋଲି ସେ କହିଛନ୍ତି।

ଶେଷରେ ସେ ସରକାରଙ୍କ ୭ଦିନ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ମାନ୍ୟତା ନମିଳିଲେ ୨୦ ତାରିଖରେ ବୋରିଗୁମ୍ମାରେ ଜାତୀୟ ରାଜପଥକୁ ୧୨ଘଣ୍ଟା ଅବରୋଧ କରାଯିବ।

ସମ୍ବନ୍ଧିତ ଖବର