ୟୁପିର ଅର୍ଥି ବାବା: ପ୍ରଚାରର ଅଭିନବ ଶୈଳୀ ତାଙ୍କୁ ଚର୍ଚ୍ଚାରେ ରଖୁଛି, ହେଲେ ନିର୍ବାଚନ ହାରିଲେଣି ୧୧ ଥର

ଲକ୍ଷ୍ନୌ:  କିଏ ଗାଡି, କିଏ ହେଲିକ୍ୟାପ୍ଟର ତ କିଏ ମୋଟରସାଇକେଲ ମାଧ୍ୟମରେ ନିର୍ବାଚନ ପ୍ରଚାର ଚଳାଇଛି । କିଏ ସାଇକେଲରେ ବି ଚଳାଇଛି ନିର୍ବାଚନ ପ୍ରଚାର । ହେଲେ ଆମେ ଆପଣଙ୍କୁ ଦେଖାଇବୁ ଏକ ନିଆରା ପ୍ରଚାର । ମାଇକ ନାହିଁ କି ଜିନ୍ଦାବାଦ ମୁର୍ଦ୍ଦାବାଦର ନାରା ନାହିଁ । କି ଖୋଲା ଜିପରେ ବସି ହାତ ହଲାଉ ନାହାନ୍ତି ପ୍ରାର୍ଥୀ । କୋକେଇରେ ବସିଛନ୍ତି ପ୍ରାର୍ଥୀ। ପାଖରେ ରହିଛି ମାଟି କଳସ ଓ ପ୍ରାର୍ଥୀଙ୍କ ହାତରେ ରହିଛି ଘଂଟି । କୋକେଇକୁ ବୋହି ନେଉଛନ୍ତି ୪ ଜଣ କାନ୍ଧୁଆ । ପଛରୁ ଶୁଭୁଛି ରାମ ନାମ ସତ୍ୟ ହେ..ହରି ନାମ୍ ସତ୍ୟ ହେ… ।

କୋକେଇରେ ବସି ପ୍ରାର୍ଥୀ ଯାଉଛନ୍ତି ନିର୍ବାଚନ ପ୍ରଚାର କରିବାକୁ । ଖାଲି ନିର୍ବାଚନ ପ୍ରଚାର ନୁହେଁ, ପ୍ରାର୍ଥୀ ଜଣଙ୍କ କୋକେଇରେ ବସି ବି ନାମାଙ୍କନ କରିବାକୁ ପହଂଚିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । କେବେ କୋକେଇରେ ତ କେବେ ଜୁଇ ଉପରେ ବସି କରୁଛନ୍ତି ନିର୍ବାଚନ ପ୍ରଚାର । ସେ ପ୍ରଚାର ପାଇଁ ଯେଉଁଠି ପହଂଚୁଥିଲେ ସେଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା । ପ୍ରଚାର ବେଳେ ବି ସେ ଅଜବ କାରନାମା କରୁଥିବା ଦେଖିବାକୁ ମିଳିଛି । ଭୋଟରମାନଙ୍କ ପାଦ ଧୋଇ ଦେଉଛନ୍ତି ପ୍ରାର୍ଥୀ ଜଣଙ୍କ । କେବେ ମହିଳାମାନଙ୍କର ତ କେବେ ଦିବ୍ୟାଙ୍ଗମାନଙ୍କର ।

ଖାଲି ଏତିକି ନୁହେଁ, ଦୈନିକ ପ୍ରଚାର ସରିବା ପରେ ତାଙ୍କୁ ଦେଖିବାକୁ ମିଳୁଛି ନଦୀ କୂଳରେ । ନଦୀ କୂଳରେ ଜୁଇ ଉପରେ ଶୋଇ ରହୁଛନ୍ତି ପ୍ରାର୍ଥୀ ଜଣଙ୍କ । ଏଭଳି  ଅଦ୍ଭୁତ କାରନାମା ଦେଖାଉଥିବା ପ୍ରାର୍ଥୀଙ୍କୁ ଉତ୍ତରପ୍ରଦେଶର ଉପ ନିର୍ବାଚନରେ  ଦେଖିବାକୁ ମିଳିଛି । ରାଜ୍ୟର ଦେଓରିଆ ସଦର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ଏହି ଅର୍ଥି ବାବା । ସେ ନିର୍ଦ୍ଦଳୀୟ  ପ୍ରାର୍ଥୀ ହୋଇଥିଲେ ବି ତାଙ୍କ ପ୍ରତି ଜନସମର୍ଥନ ଦେଖିବାକୁ ମିଳୁଛି । କୋକେଇ ବାବାଙ୍କ ପ୍ରକୃତ ନାମ ହେଉଛି ରଞ୍ଜନ ଯାଦବ, ସେ ଏମବିଏ ପାସ୍ କରିଛନ୍ତି । ଯାଦବ ଏହାକୁ ମିଶାଇ ୧୧ଟି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ହେଲେ ପ୍ରତ୍ୟେକ ଥର ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡୁଛି ।

ସମ୍ବନ୍ଧିତ ଖବର