ବିଜେପି ଛାଡ଼ିବେ ଅଶୋକ ପାଣିଗ୍ରାହୀ, ଦିନେ ଦୁଇ ଦିନ ପରେ ନେବେ ନିଷ୍ପତ୍ତି!

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିପାରନ୍ତି। ଦଳ ଛାଡ଼ିବା ନେଇ ଏକ ଘରୋଇ ଟିଭି ଚ୍ୟାନେଲକୁ ସେ ଏସଂପର୍କରେ ସୂଚନା ଦେଇଥିବା ରବିବାର ଜଣାପଡିଛି। ଅଶୋକ ପାଣିଗ୍ରାହୀ ଦଳ ଛାଡ଼ିବା ନେଇ ଖବର ଆସିବା ପରେ ବିଜେପୁର ଉପନିର୍ବାଚନରେ ହଟଚମଟ ଦେଖାଯାଇଛି। ବିଜେପି ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗଦେବେ, ତାହା ଏଯାବତ ସ୍ପଷ୍ଟ କରି ନାହାନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଏବାବଦରେ ନିଷ୍ପତ୍ତି ନେବେ।

ନିଜ ଦଳ ସଂପର୍କରେ ଅଭିଯୋଗ ଆଣି ଦଳର ଅସନ୍ତୁଷ୍ଟ ନେତା ଶ୍ରୀ ପାଣିଗ୍ରାହୀ କହିଛନ୍ତି, ବିଜେପି ମୋତେ ଅଣଦେଖା କରୁଛି। ଦଳ ମୋତେ ଗୁରୁତ୍ୱ ଦେଉନାହିଁ। ଦଳ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରି ନାହିଁ। ଗତ ସାଧାରଣ ନିର୍ବାଚନରେ ଲଢ଼ିବାକୁ ସୁଯୋଗ ଦିଆଗଲା ନାହିଁ। ଆଗକୁ ମୁଁ ମୋର ରାଜନୈତିକ ଜୀବନରେ କ’ଣ କାର୍ଯ୍ୟପନ୍ଥା ଗ୍ରହଣ କରିବି ତାହା ମୋର ସମର୍ଥକ ଓ କର୍ମୀମାନେ ନିଷ୍ପତ୍ତି ନେବେ। କର୍ମୀ ଓ ସମର୍ଥକମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ମୁଁ ମୋର ଆଗାମୀ ରାଜନୈତିକ ଜୀବନର ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବି ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେପିର ଏହି ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ।

ସୂଚନାଯୋଗ୍ୟ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ୨୦୧୮ରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗଦେଇଥିଲେ। ମାତ୍ର ୨୦୧୯ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇ ନଥିଲା।

ସମ୍ବନ୍ଧିତ ଖବର