ବରଗଡ଼/କଟକ: ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନ ପାଇଁ ବିଜେପି, ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଜୋରଦାର ପ୍ରଚାର ଚାଲିଥିବା ବେଳେ, ଶୁକ୍ରବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଶୋକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟରେ ହଜାର ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ। ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ।

Advertisment

ମାହାଙ୍ଗାରେ ବିଜେପିର ମିଶ୍ରଣ ପର୍ବ, ଶାରଦା ପ୍ରଧାନ ଦଳରେ ସାମିଲ

ପଶ୍ଚିମାଞ୍ଚଳର ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ପୂର୍ବରେ କଟକ ଜିଲ୍ଲା ମାହାଙ୍ଗାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମାହାଙ୍ଗା ବିକାଶ ପରିଷଦର ଅଧ୍ୟକ୍ଷ ଶାରଦା ପ୍ରଧାନ ସମେତ ବହୁ ଅନ୍ୟ ଦଳରୁ ବହୁ ସଂଖ୍ୟାରେ ବିଜେପିରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ସମୀର ଦେ, ମନମୋହନ ସାମଲ, ପୀତାମ୍ବର ଆଚାର୍ଯ୍ୟ, ସମୀର ସାମଲ, ଦିିଲିପ ମଲ୍ଲିକ, ବିଶ୍ୱ ମଲ୍ଲିକ, ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ, ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ବିଜେପୁର ବିଧାନସଭାରେ ବିଧାୟକ ପଦ ଖାଲି ପଡ଼ିଛି। ଏଠାରେ ଆଗାମୀ ଫେବ୍ରୁଆରି ୨୪ରେ ମତଦାନ ହୋଇ ଫେବ୍ରୁଆରି ୨୮ରେ ଫଳାଫଳ ପ୍ରକାଶ ପାଇବ। ପୂର୍ବରୁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳ ପକ୍ଷରୁ ସୁବଲ ସାହୁଙ୍କ ପତ୍ନୀ ରିତା ସାହୁ ବିଧାୟିକା ପ୍ରାର୍ଥୀ ଘୋଷିତ ହୋଇଛନ୍ତି। କଂଗ୍ରେସରୁ କିଏ ହେବ ବିଧାୟକ ପ୍ରାର୍ଥୀ ଏଯାଏଁ ସ୍ପଷ୍ଟ ହୋଇ ନାହିଁ।