ଆଠମଲ୍ଲିକ ଦେଖିବ କି ନୂଆ ଚେହେରା?

ଆଠମଲ୍ଲିକ/ଅନୁଗୁଳ,(ରତ୍ନାକର ଭୋଇ/ବିଶ୍ବମ୍ଭର ବେହେରା): ବିଧାନସଭା ନିର୍ବାଚନ ପାଇଁ ରବିବାର ତାରିଖ ଘୋଷଣା ‌ହୋଇସାରିଛି। ଆଠମଲ୍ଲିକ ବିଧାନସଭା ରଣାଙ୍ଗନରେ ଏଥର ନୂଆ ଚେହେରାଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଜୋର୍ ଧରିଛି। ଆଶାୟୀ ପ୍ରାର୍ଥୀମାନେ ଲୋକ ସଂପର୍କ ଓ ସମର୍ଥନ ସାଉଁଟିବା ପାଇଁ ଗାଁ ଗାଁ ବୁଲି ବିଭିନ୍ନ ମେଳା, ମହୋତ୍ସବ, ଖେଳକୁଦ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି।

ସମ୍ବଲପୁର ଲୋକସଭା‌ କ୍ଷେତ୍ର ଅଧୀନରେ ଆସୁଥିବା ଆଠମଲ୍ଲିକ ବିଧାନସଭା କ୍ଷେତ୍ର କିଶୋରନଗର, ଆଠମଲ୍ଲିକ ବ୍ଲକ, ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ଏବଂ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦକୁ ନେଇ ଗଠିତ ହୋଇଛି। ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଂଜୀବ ସାହୁ ୬୩,୨୨୬ ଖଣ୍ଡ, କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନ ୪୩,୬୯୩ ଖଣ୍ଡ ଓ ବିଜେପି ପ୍ରାର୍ଥୀ ଭାଗୀରଥି ପ୍ରଧାନ ୨୨,୪୬୩ ଖଣ୍ଡ ଭୋଟ ପାଇଥିଲେ। ସଂଜୀବ ସାହୁ ୧୯,୫୩୩ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନଙ୍କୁ ପରାସ୍ତ କରିଥିଲେ। ଶ୍ରୀ ସାହୁ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ମାଟିର ପୁଅ ହିସାବରେ କ୍ରମାଗତ ଭାବେ ଦୁଇ ଥର ନିର୍ବାଚନ ଜିତିଛନ୍ତି। ମନ୍ତ୍ରୀ ହେବାର ସୌଭାଗ୍ୟ ବି ପାଇଛନ୍ତି।

ଉନ୍ନୟନ କାର୍ଯ୍ୟ, ଦଳୀୟ ସାଂଗଠନିକ ଦକ୍ଷତା, ‘ଚଷା ଭୋଟ ବ୍ୟାଙ୍କ’ ଆଦି କାରଣରୁ ସଂଜୀବଙ୍କୁ ଏଥର ବି ଟିକେଟ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି। ତେବେ ପଞ୍ଚାୟତ ନିର୍ବାଚନରେ ବିଜେପିର ଅଭ୍ୟୁଦୟ ତାଙ୍କ ଲୋକ୍ରପ୍ରିୟତାରେ ଆଞ୍ଚ ଆଣିଥିବା ତାଙ୍କ ବିରୋଧୀମାନେ କହୁଛନ୍ତି। ତାଙ୍କୁ ପ୍ରାର୍ଥୀ କରାଗଲେ ଦଳ ପାଇଁ ମହଂଗା ସାବ୍ୟସ୍ତ ହୋଇପାରେ ବୋଲି ମଧ୍ୟ ଗୋଟିଏ ଗୋଷ୍ଠୀ କହୁଛନ୍ତି। କଟକ ମହାନଗର ନିଗମର ଅତିରିକ୍ତ କମିସନର ପଦରୁ ଇସ୍ତଫା ଦେଇ ଆଠମଲ୍ଲିକ ଆମ୍ବସରମୁଣ୍ଡା ମାଟିର ପୁଅ ରମେଶ ଚନ୍ଦ୍ର ସାଏଙ୍କ ବିଜେଡିରେ ଯୋଗଦାନ ପରେ ତାଙ୍କୁ ଦଳୀୟ ପ୍ରାର୍ଥୀ କରାଯିବା ନେଇ ହେଉଥିବା ଚର୍ଚ୍ଚାକୁ ବଳ ମିଳିଛି। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବା ପ୍ରାକ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ସହିତ ଏକସଂଗରେ ରମେଶ ଦଳରେ ଯୋଗ ଦେଇଛନ୍ତି। ଚାକିରିରୁ ଇସ୍ତଫା ପରେ ସେ ବି ବିଭିନ୍ନ ଅଞ୍ଚଳ ବୁଲିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ସମାଜସେବୀ ଅର୍ଜୁନ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ତରଞ୍ଜନ କର୍ଣ୍ଣ, ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତିବାଳା ନାୟକ ମଧ୍ୟ ବିଜେଡି ଟିକେଟ୍ ପାଇଁ ଲବି ଚଳାଇଥିବା ଜଣାପଡ଼ିଛି।

ଗତ ୨୦୧୪ ନିର୍ବାଚନରେ ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର ପ୍ରଧାନ ଏବେ ରାଜନୀତିରୁ ଦୂରେଇ ରହିଛନ୍ତି। ଯୁବନେତା ବିଜୟାନନ୍ଦ ଚାଉଳିଆ, ସୁବୋଧ ମହାପାତ୍ର, ପ୍ରଦୀପ ବେହେରା ପ୍ରମୁଖ ଟିକେଟ ପାଇଁ ସ୍କ୍ରିନିଂ କମିଟିରେ ଆବେଦନ କରିଛନ୍ତି। କଂଗ୍ରେସ ନିର୍ବାଚନ କମିଟି ନିକଟରେ ରାଜ୍ୟର ଅନ୍ୟ ବିଧାନସଭାଗୁଡ଼ିକ ପାଇଁ ୨ ଜଣ ଲେଖାଏଁ ନେତାଙ୍କ ନାମ ଏଆଇସିସିକୁ ସୁପାରିସ କରିଛି। ଆଠମଲ୍ଲିକରୁ କିନ୍ତୁ କାହାରି ନାମ ପଠାଯାଇ ନାହିଁ। ସମ୍ବଲପୁର ଲୋକସଭା ପାଇଁ ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନାମ ସୁପାରିସ କରାଯାଇଛି। ଶରତଙ୍କୁ ଯଦି ଲୋକସଭା ପ୍ରାର୍ଥୀ କରାଯାଏ, ତାହେଲେ ଅମର ପ୍ରଧାନଙ୍କୁ ତାଙ୍କର ଏହି ପୁରୁଣା ନିର୍ବାଚନମଣ୍ଡଳୀ ଆଠମଲ୍ଲିକରୁ ପ୍ରାର୍ଥୀ କରାଯାଇପାରେ ଚଷାଭୋଟ ହାତେଇବା ଯୋଜନା ରହିଥିବା ବି କର୍ମୀମହଲରେ ଆଲୋଚନା ହେଉଛି। ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଭାଗୀରଥି ପ୍ରଧାନ ଦଳୀୟ ଟିକେଟ୍ ପାଇଁ ପ୍ରଥମ ଦାବିଦାର ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। କ୍ରମାଗତ ଭାବେ ଗତ ଦୁଇଟି ନିର୍ବାଚନରେ ସେ ଶୋଚନୀୟ ପରାସ୍ତ ହୋଇଛନ୍ତି। ବିଧାନସଭାରେ ଜିତିବା ସମ୍ଭାବନା ଥିବା ନେତାଙ୍କୁ ପ୍ରାର୍ଥୀ କରାନଗଲେ ଲୋକସଭା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ତେଣୁ ଯେ କୌଣସି ସ୍ଥିତିରେ କେନ୍ଦ୍ରରେ ପୁନର୍ବାର କ୍ଷମତା ଅକ୍ତିଆର କରିବାକୁ ଚାହୁଁଥିବା ବିଜେପି ଏଥର ଭାଗୀରଥିଙ୍କ ବଦଳରେ ନୂଆ ଚେହେରା ଦେଇପାରେ ବୋଲି ଆଲୋଚନା ହେଉଛି। ଇଂ. ଅଜିତ ସାହୁ, ସଂଗ୍ରାମ ମହାପାତ୍ର, ରୁଦ୍ର ଷଡଙ୍ଗୀ ପ୍ରମୁଖ‌ ଯୁବନେତାଙ୍କ ନାମ ଆଶାୟୀ ପ୍ରାର୍ଥୀ ତାଲିକାରେ ରହିଛି। ତେ‌ବେ ନୂଆ ନା ପୁରୁଣା ନେତାଙ୍କ ମଧ୍ୟରେ ଲଢ଼େଇ ହେବ- ଆଉ କିଛି ମଧ୍ୟରେ ସ୍ପଷ୍ଟ ହୋଇଯିବ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ସଂଜୀବ ସାହୁ      ୬୩,୨୨୬
କଂଗ୍ରେସ   ସୁରେନ୍ଦ୍ର ପ୍ରଧାନ    ୪୩,୬୯୩
ବିଜେପି    ଭାଗୀରଥି ପ୍ରଧାନ  ୨୨,୪୬୩

ସମ୍ବନ୍ଧିତ ଖବର