ବୈଜୟନ୍ତଙ୍କ ପାଇଁ ସଭା ବାତିଲ୍‌

ସଭାମଞ୍ଚ ଭଙ୍ଗାରୁଜା, ଘଟଣାସ୍ଥଳରେ ପୁଲିସ୍‌ ମୁତୟନ

ମାର୍ଶାଘାଇ : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିବଦମାନ ପରିସ୍ଥିତି ସୃଷ୍ଟି ହେବାରୁ ଶେଷ ମୁହୂର୍ତ୍ତରେ ଏଠାରେ ଏକ ସଭାକୁ ବାତିଲ୍‌ କରାଯାଇଛି। ଗତକାଲି ସାଂସଦଙ୍କୁ ବିରୋଧ କରି କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ନିର୍ମିତ ଏକ ସଭାମଞ୍ଚକୁ ଭଙ୍ଗାରୁଜା କରାଯାଇଥିଲା। ସଭା ହୋଇନଥିଲେ ମଧ୍ୟ ସାଂସଦ ଶ୍ରୀ ପଣ୍ଡା ଆଜି ସେହି ଗାଁକୁ ଯାଇଥିଲେ। ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାର୍ଶଘାଇ ବ୍ଲକ୍‌ର ତାଳସଙ୍ଗାଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ‘ନୀଳକଣ୍ଠେଶ୍ୱର ପ୍ରତିଭା ସମ୍ମାନ’ରେ ନାମିତ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସାଂସଦ ଶ୍ରୀ ପଣ୍ଡାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଗତକାଲି କିଛି ଲୋକ ସାଂସଦଙ୍କୁ ବିରୋଧ କରି ସଭାମଞ୍ଚ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ବି ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ, ସ୍ଥାନୀୟ ତାଳସଙ୍ଗା ସରପଞ୍ଚ ତଥା ଉତ୍ସବର ସଭାପତି କବିନ୍ଦ୍ର ଜେନା ଓ ସମିତି ସଭ୍ୟା ରାଜଲକ୍ଷ୍ମୀ ସେନାପତି ମିଳିତ ବିବୃତିରେ କାର୍ଯ୍ୟକ୍ରମ ବାତିଲ୍‌ ହେଲା ବୋଲି ଘୋଷଣା କରିଥିଲେ।

ଆଜି କାର୍ଯ୍ୟକ୍ରମ ବାତିଲ୍‌ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ୧୧ଟା ସମୟରେ ସାଂସଦ ଶ୍ରୀ ପଣ୍ଡା ତାଳସଙ୍ଗାଠାରେ ପହଞ୍ଚଥିଲେ। । ସାଂସଦଙ୍କ ସହ କେନ୍ଦ୍ରାପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦୂର୍ଗାଶୀଷ ମହାନ୍ତି, ପୂର୍ବତନ ସଂଖ୍ୟାଲଘୁସେଲ୍‌ ଅଧ୍ୟକ୍ଷ ସଲିମ୍‌ ଖାନ୍‌, ବିଜୟପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ତାଙ୍କର ସମର୍ଥକ ଏବଂ ଗ୍ରାମବାସୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦେଢ଼ଘଣ୍ଟା ପରେ ସେ ଫେରି ଆସିଥିଲେ।

ବୈଜୟନ୍ତଙ୍କ ସମର୍ଥକମାନେ କାର୍ଯ୍ୟକ୍ରମ ବନ୍ଦ ପଛରେ ସ୍ଥାନୀୟ ବିଧାୟକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ବୈଜୟନ୍ତଙ୍କ ସହିତ ବହୁ ବିଜେପି କର୍ମୀଙ୍କୁ ଏଠାରେ ଦେଖିବାକୁ ମିଳିଥିଲା।

ଏହି ଘଟଣାକୁ ନେଇ ତାଳସଙ୍ଗାଠାରେ ଦିନତମାମ ଉତ୍ତେଜନା ଲାଗି ରହିଥିଲା। ପୁଲିସ୍‌ ଏଏସ୍‌ପି ବିକାଶ ଦାଶ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ପାଟକୁରା ଥାନା ଆଇଆଇସି ସୁଜିତ୍‌ ପ୍ରଧାନ, ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦି ବେହେରା, ଡେରାବିଶ ଥାନା ଆଇଆଇସି ସୁଧୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ପ୍ରତି ସତର୍କ ନଜର ରଖିଥିଲେ ।

ତୃତୀୟ ମହଲାକୁ ପୁଣି ଟାର୍ଗେଟ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଣ୍ଡରା ହାଟ ପଡିଆରେ ୨୮ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପକୁ ଆଜି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଲୋକାର୍ପଣ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ ପୁଣିଥରେ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ। ସମ୍ପୃକ୍ତ ଅଫିସର ବିଜେଡିରେ ଅସ୍ଥିରତା ସୃଷ୍ଟି କରିବା ସହ ଦଳୀୟ ଟିକେଟକୁ ବିକ୍ରି କରିବା ସହିତ ଚାନ୍ଦା ଆଦାୟ କରୁଛନ୍ତି ବୋଲି କହିଥିଲେ। ଆହୁରି ମଧ୍ୟ ତାଙ୍କୁ କେନ୍ଦ୍ରାପଡାରୁ କେହି ବାହାର କରିପାରିବେ ନାହିଁ ଦୃଢ଼ୋକ୍ତି କରିଥିଲେ। ସେ କହିଥିଲେ ଯେ ଓଡିଶାର ଭିତ୍ତିଭୂମି ବିକାଶରେ କେନ୍ଦ୍ରାପଡା ଜିଳ୍ଲା ଏକ ନମ୍ବରରେ ରହିଛି। କଟକ- ଚାନ୍ଦବାଲି ରାସ୍ତା, ପାରାଦୀପ- ହରିଦାସପୁର ରେଳପଥ , ଇନ୍ଦୁପୁର ସେତୁ ପ୍ରଭୃତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ଏହିସବୁ ପ୍ରକଳ୍ପର ଅଗ୍ରଗତି ନେଇ ସେ ଉଦ୍ୟମ ଚଳାଇଛନ୍ତି ବୋଲି କହିଥିଲେ।

ଆଜିର ଏହି ସଭାରେ ଧୋୟା ଅଂଚଳର ବରିଷ୍ଠ ବିଜେଡି ନେତା ବସନ୍ତ କୁମାର ମଳ୍ଳିକ, ଡା. ଗଦାଧର ମଲ୍ଳିକ, କେନ୍ଦ୍ରାପଡା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ବିଜେଡି ସଂଖ୍ୟାଲଘୁ ସେଲର ସେଖ ସଲିମ, ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ସରପଞ୍ଚ କୁଳମଣି ମଲ୍ଲିକ, ଯୁବନେତା ପ୍ରଫୁଲ୍ଲ ସ୍ୱାଇଁ, ଟୁନିଆ ବିଶ୍ୱାଳ, ମଣ୍ଟୁ ସ୍ୱାଇଁ, ଉପେନ୍ଦ୍ର ମଲ୍ଳିକ, ବିଶ୍ୱଜିତ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଚିତ୍ତରଂଜନ ମଲ୍ଳିକ ଏଥିରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧିତ ଖବର