ବିଜେଡିରୁ ବୈଜୟନ୍ତ ନିଲମ୍ବିତ

 ସଙ୍ଗିନ୍‌ ଅଭିଯୋଗ ଆଣିଲା ବିଜେଡି
 ୨୦୧୪ରୁ ଫାଇନାନ୍‌ସ କମିଟିକୁ ଆଖେଇଥିଲେ
 ସୁପ୍ରିମୋ ଅଗ୍ରାହ୍ୟ କରିବାରୁ ଦଳକୁ ଦୁର୍ବଳ କରୁଥିଲେ
 ଅଫିସ୍‌ ଅଫ୍‌ ପ୍ରଫିଟ୍‌ ପରିସରକୁ ଟାଣିଲେ
 ବୈଜୟନ୍ତଙ୍କ ପ୍ରତିକ୍ରିୟା: କୋଟେରିର ପ୍ରଭାବ

ଭୁବନେଶ୍ୱର : ବିଜେଡି, ବୈଜୟନ୍ତ ଓ ତୃତୀୟ ମହଲାକୁ ନେଇ ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ବିବାଦ ଆଜି ନିର୍ଣ୍ଣାୟକ ମୋଡ଼ ନେଇଛି। ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଚରମ ନିଷ୍ପତ୍ତି ଶୁଣାଇଛନ୍ତି। କେନ୍ଦ୍ରାପଡ଼ା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଜୟନ୍ତ ପଣ୍ଡାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି। ଆଜି ରାତିରେ ବିଜୁ ଜନତା ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ହଠାତ୍‌ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ସାଂସଦ ଥିବା ବେଳେ ବି ବୈଜୟନ୍ତ ଇମ୍ଫା ଉପାଧ୍ୟକ୍ଷ ଭାବେ ଦରମା ନେବା କଥା ଦର୍ଶାଇ ତାଙ୍କୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ପରିସରକୁ ବିଜେଡି ଟାଣିବାକୁ ଭୁଲିନି। ନିକଟରେ ଦିଲ୍ଲୀରେ ଏଭଳି ମାମଲାରେ ଆପ୍‌ର ୨୦ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହୋଇଥିବା ବେଳେ ଏବେ ବୈଜୟନ୍ତ ଏହି ଜାଲରେ ଛନ୍ଦି ହେବା ଆଶଙ୍କା ସୃଷ୍ଟି ହୋଇଛି।

ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ ଓ ନେତା ସାଂସଦ ଶ୍ରୀ ପଣ୍ଡାଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ ଆଣିଥିଲେ। ଦଳର ଦୁଇ ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ (କେନ୍ଦ୍ରାପଡା ଜିଲ୍ଲା) ଓ ଉଷା ଦେବୀ (କଟକ ଜିଲ୍ଲା) ତଦନ୍ତ କରି ତାଙ୍କର ରିପୋର୍ଟ ଦେବା ପରେ ଶ୍ରୀ ପଟ୍ଟନାୟକ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି।

ସେପଟେ ଏହି ଘୋଷଣା ପରେ ଶ୍ରୀ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଖବର ତାଙ୍କୁ ବ୍ୟଥିତ କରିଛି। ସେ ଦୁଃଖିତ ଏଇଥିପାଇଁ ଯେ ଦଳ ନିୟନ୍ତ୍ରଣ କରୁଥିବା ଜଣେ ଆଇଏଏସ୍‌ ଅଫିସରଙ୍କ ନେତୃତ୍ୱରେ ସୃଷ୍ଟି ହୋଇଥିବା କୋଟେରି ପ୍ରଭାବରେ ସଭାପତି ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ ହେଉଥିବା ଷଡ଼୍‌ଯନ୍ତ୍ରକୁ ଦେଖିପାରିଲେ ନାହିଁ। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ଅସତ୍ୟ ଓ ଅମୂଳକ, ଯାହାକୁ ସେ ବାରମ୍ବାର ଅସ୍ୱୀକାର କରି ଆସିଛନ୍ତି। ଭଗବାନ ତାଙ୍କର ମାର୍ଗଦର୍ଶନ କରିବା ଲାଗି ସେ ପ୍ରାର୍ଥନା କରିଛନ୍ତି।

ଅନ୍ୟପଟରେ ଏହି ଖବରକୁ ନେଇ ଉଭୟ ବିଜେଡି ଓ ବିଜେପି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଆଗକୁ ବିଜେପୁର ଉପନିର୍ବାଚନ ରହିଛି। କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଆଲୋଚନା ଜୋର ଧରିଥିବା ବେଳେ ବିଜେଡି ନେତୃତ୍ୱର ଏହି ନିଷ୍ପତ୍ତି ରାଜନୈତିକ ମହଲକୁ ହଲଚଲ୍‌ କରିଦେଇଛି।

ରାଜନୈତିକ ପର୍ଯ୍ୟବେକ୍ଷକ କହୁଛନ୍ତି, ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ଦୀର୍ଘ ଦିନରୁ ସଂପର୍କ କେବଳ ଔପଚାରିକତାରେ ସୀମିତ ଥିଲା। ତାଙ୍କୁ ବହୁ ପୂର୍ବରୁ ସଂସଦୀୟ ଦଳ ମୁଖପାତ୍ରରୁ ସୁପ୍ରିମୋ ବିଦା କରିଥିଲେ। ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ତାଙ୍କର ପ୍ରଭାବ ଆଦୌ ନଥିଲା। ସବୁଠାରୁ ବଡ଼ କଥା ହେଉଛି, ବୈଜୟନ୍ତ ବିଜେପି ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଭିନ୍ନ ଖବରକାଗଜରେ ସେ ଲେଖୁଥିବା ସ୍ତମ୍ଭ ଏହି ଅଭିଯୋଗକୁ ଧୀରେ ଧୀରେ ଅଧିକ ଦୃଢ କରିଥିଲା। ଏବେ ଏହି ଅଭିଯୋଗ ପଛର ସତ୍ୟତା ପରଖିବା ବେଳ ଆସିଛି। ବୈଜୟନ୍ତ ବାସ୍ତବରେ ବିଜେପି ଆଡକୁ ଢଳିବେ ନା ଆଉ କଣ ପଦକ୍ଷେପ ନେବେ।

ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇ ପେଟରେ ଥିବା ଗତ ୪ବର୍ଷର ବିଷ ଉଗାଳିଛି। ସଙ୍ଗିନ୍‌ ଅଭିଯୋଗ ଆଣି ଉପସଭାପତି ଶ୍ରୀ ପାତ୍ର କହିଛନ୍ତି, ଇମ୍ଫାର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ଦଳର ଲୋକସଭା ସଭ୍ୟ ଅଛନ୍ତି। ଏହା ପୂର୍ବରୁ ସେ ୨୦୦୦ରୁ ୨୦୦୬ ଓ ୨୦୦୬ରୁ ୨୦୦୯ ଯାଏ ଦୁଇଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ୨୦୦୯ ଓ ୨୦୧୪ରେ ତାଙ୍କୁ ବିଜେଡି ଟିକେଟ୍‌ରେ ଲୋକସଭା ପାଇଁ ପ୍ରାର୍ଥୀ କରାଯାଇଥିଲା ଓ ସେ କେନ୍ଦ୍ରାପଡ଼ା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ ୨୦୧୪ ନିର୍ବାଚନ ପରେ ଶ୍ରୀ ପଣ୍ଡା ଲୋକସଭାର ଫାଇନାନ୍‌ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେବା ପାଇଁ ଦଳୀୟ ନେତୃତ୍ୱ ନିକଟରେ ଇଚ୍ଛା ପ୍ରକଟ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବିଜୁ ଜନତା ଦଳ ସଂସଦରେ ଚତୁର୍ଥ ବୃହତ୍‌ ପ୍ରତିନିଧିତ୍ୱ କରୁଥିବା ଦଳ ହୋଇଥିଲେ ମଧ୍ୟ ଏହି ପଦବି ପାଇବାରୁ ବଞ୍ଚିତ ହୋଇପାରେ। ମାତ୍ର ଯଦିି ତାଙ୍କୁ ଏହି ପଦବି ପାଇଁ ମନୋନୀତ କରାଯାଏ, ତେବେ ସେ ଉପର ମହଲରେ ଆବଶ୍ୟକ ଲବି କରି ଏହି ପଦବି ହାତେଇ ପାରିବେ।

ଶ୍ରୀ ପଣ୍ଡା ଇମ୍ଫା କମ୍ପାନିର ଉପସଭାପତି ରହି ବାର୍ଷିକ ଦରମା ଓ ଭତ୍ତା ବାବଦରେ ୨୦୧୪ ମସିହାରେ ୧ କୋଟି ୪୫ଲକ୍ଷ ୭ ଶହ ୪୭ ଟଙ୍କା ନେଇଛନ୍ତି। ଇମ୍ଫା ଉପରୁ ହଜାର ହଜାର କୋଟି ଟଙ୍କା ଋଣ ଛାଡ ଏବେ ବି ବିବାଦ ଘେରରେ ରହିଛି। ଇମ୍ଫା ଖଣି, ଫେରୋ ଆଲଏଜ୍‌ ଓ ବିଦ୍ୟୁତଶକ୍ତି ଉତ୍ପାଦନରେ ନିୟୋଜିତ। ଏଣୁ ଦଳୀୟ ନେତୃତ୍ୱ ଶ୍ରୀ ପଣ୍ଡାଙ୍କୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।

ଶ୍ରୀ ପାତ୍ର କହିଥିଲେ ଯେ ଏହା ପରେ ସାଂସଦ ଶ୍ରୀ ପଣ୍ଡା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଜୁ ଜନତା ଦଳକୁ ଦୁର୍ବଳ କରିବା ଭଳି କାର୍ଯ୍ୟକଳାପରେ ସବୁବେଳେ ଲିପ୍ତ ରହିଥିଲେ। ସଂସଦ, ରାଜ୍ୟ, ନିର୍ବାଚନମଣ୍ଡଳୀ ଓ ଗଣମାଧ୍ୟମ ସବୁଠାରେ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ବିରୋଧୀଙ୍କୁ ପ୍ରଶଂସା କରିବାକୁ ପଛଘୁଞ୍ଚା ଦେଉନଥିଲେ। ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ବୋଲି ଶ୍ରୀ ପଣ୍ଡା କରୁଥିବା ଦାବିକୁ ଆଜି ଦଳ ଅସ୍ୱୀକାର କରିଛି ଓ କହିଛି ଯେ ଏହା ସମ୍ପୂର୍ଣ୍ଣ ଅମୂଳକ।

ବିଜେଡି ଆହୁରି ଅଭିଯୋଗ କରିଛି ଯେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରଚାର କରିନଥିଲେ। ବିରୋଧୀ ଦଳ ପ୍ରାର୍ଥୀଙ୍କ ପାଇଁ ଖୋଲାଖୋଲି ପ୍ରଚାର ଚଳାଇଥିଲେ। ଏସବୁ ତାଙ୍କୁ ଚାରି ଚାରି ଥର ସଂସଦକୁ ପଠାଇଥିବା ଦଳୀୟ କର୍ମକର୍ତ୍ତାଙ୍କର ମନୋଭାବର ସମ୍ପୂର୍ଣ୍ଣ ବିରୋଧୀ ବୋଲି ଶ୍ରୀ ପାତ୍ର ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, ନିଶ୍ଚିନ୍ତକୋଇଲି ବ୍ଲକରେ ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିଜେଡି ଓ ବୈଜୟନ୍ତ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଶ୍ରୀ ପଣ୍ଡା ସିଧାସଳଖ ତୃତୀୟ ମହଲାକୁ ଅଙ୍ଗୁଳି ଉଠାଇଥିଲେ। ଏହାପରେ ତାଙ୍କୁ ଦଳ ଭିତରୁ କଡ଼ା ବିରୋଧର ସାମ୍ନା କରିବାକୁ ପଡିଥିଲା। ହାତଗଣତି ଜଣେ ଦୁଇଜଣ ନେତା ତାଙ୍କ ସହିତ ସ୍ୱର ମିଳାଇଥିଲେ ହେଁ, ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣିତ ବଦଳିଯାଇଥିଲା। ଏହା ସତ୍ତ୍ୱେ ନିଶ୍ଚିନ୍ତକୋଇଲି, ସାଲେପୁର, ପାଟକୁରା, ମହାକାଳପଡ଼ା ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାର ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶ୍ରୀ ପଣ୍ଡାଙ୍କ କାରନାମାର ଲମ୍ବା ତାଲିକା ଉପସ୍ଥାପନ କରିଥିଲେ। ସାଂସଦ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ବୋଲି ଖୋଲାଖୋଲି ଜଣାଇଥିଲେ। ଏହି ଅଭିଯୋଗକୁ ଗ୍ରହଣ କରି ଶ୍ରୀ ପଟ୍ଟନାୟକ ବୈଜୟନ୍ତଙ୍କ ବିରୋଧରେ ତଦନ୍ତ ଲାଗି ଦଳର ଦୁଇ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ।

ସମ୍ବନ୍ଧିତ ଖବର