ନୂଆଦିଲ୍ଲୀ: ପୂର୍ବତନ ସାଂସଦ ତଥା ଓଡ଼ିଶା ରାଜନୀତିର ଜଣେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ସୋମବାର ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଯୋଗ ଦେବା ପରେ ବୈଜୟନ୍ତ କହିଛନ୍ତି କି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱ ସ୍ବୀକାର କରିବା ସହ ଏକଥା ମଧ୍ୟ ମାନୁଛନ୍ତି କି ଏହି  ନେତୃତ୍ୱ ଦେଶକୁ ବିକାଶ ପଥରେ ଆଗେଇ ନେବା ସହ ଓଡ଼ିଶାରେ ପରିବର୍ତ୍ତନ ଲାଗି ସହାୟକ ହେବ।

Advertisment

ବିଜେପି ପକ୍ଷରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୋଗ ଦେଇ ଦଳରେ ସାମିଲ ହୋଇଛନ୍ତି ବୈଜୟନ୍ତ।  ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ  ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳକୁ  ସ୍ୱାଗତ କରିଛନ୍ତି।

ଏହାପୂର୍ବରୁ ଦଳବିରୋଧୀ କାମ ପାଇଁ ଗତବର୍ଷ ଜାନୁଆରୀ ୨୪ ତାରିଖରେ ବୈଜୟନ୍ତଙ୍କୁ ନିଲମ୍ବନ କରିଥିଲା ବିଜେଡି । ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ । ତେବେ ନିଲମ୍ବନର ଗୋଟିଏ ବର୍ଷ ପରେ ମଧ୍ୟ ବୈଜୟନ୍ତ କେଉଁ ଦଳରେ ଯୋଗ ଦେଇନଥିବା ବେଳେ ସେ ନୂଆ ଦଳ କରି ନୂଆ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ସେ ନେଇ ବୈଜୟନ୍ତ ପରେ ସଫେଇ ଦେବା ପରେ ନୂଆ ଦଳ ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଛେଦ ପଡିଥିଲା । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ବୈଜୟନ୍ତଙ୍କ ବିଜେପିରେ ଯୋଗଦାନ ରାଜ୍ୟ ରାଜନୀତିକୁ କେତେ ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।