ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପରି ଏକ ସାମ୍ପ୍ରଦାୟିକ ଦଳକୁ ରାଜ୍ୟରେ କ୍ଷମତା ଠାରୁ ଦୂରରେ ରଖିବା ପାଇଁ ବିଜେଡି କଂଗ୍ରେସ ସହିତ ମେଣ୍ଟ କରିପାରେ ବୋଲି ଏକ ମନ୍ତବ୍ୟ ଦେଇ ବିଜେଡି ଓ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ଦଳର ଉପସଭାପତି ତଥା ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଡା. ରାଉତଙ୍କ ଏହି ବୟାନ ପୂର୍ବରୁ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରାୟ ଦେଢ଼ ବର୍ଷ ତଳେ ସମାନ କଥା ଉଠାଇଥିଲେ। ତେବେ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦାକୁ ବାହାରି, ଏ ନେଇ ଭର୍ତ୍ତୃହରିଙ୍କୁ କୈଫିୟତ ତଲବ କରିବା ସହିତ ବିଜେଡି ଉଭୟ କଂଗ୍ରେସ ଓ ଭାଜପା ସହିତ ସମଦୂରତା ରକ୍ଷା କରିବ ବୋଲି ପୁଣି ଥରେ ଦୋହରାଇଥିଲେ। ତେବେ ଗତ କାଲି ଡା. ରାଉତଙ୍କ ମନ୍ତବ୍ୟ ପରେ ପୁଣି ଥରେ ଟ୍ଵିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଶ୍ରୀ ପଣ୍ଡା କହିଛନ୍ତି ଆମେ ଯେଉଁମାନେ ୧୯୮୦ ଓ ୯୦ ଦଶକରେ କଂଗ୍ରେସର ଦୁର୍ନୀତି ଦ୍ୱାରା ଓଡ଼ିଶାର ଯେଉଁ ପ୍ରଭୂତ କ୍ଷତି ହୋଇଥିଲା , ତାକୁ ଦୂର କରିବା ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ବିଜେଡି ଦଳ ଗଠନ କରିଥିଲୁ, ସେମାନଙ୍କ ପାଇଁ ଡା. ରାଉତଙ୍କ ପ୍ରସ୍ତାବ ଗ୍ରହଣ କରିବା କଷ୍ଟକର। ଅର୍ଥାତ ସାଂସଦ ଶ୍ରୀ ପଣ୍ଡା ପରୋକ୍ଷରେ ରାଜ୍ୟରେ କଂଗ୍ରେସ ସହିତ ମେଣ୍ଟ ନେଇ ଡା. ରାଉତ ଯେଉଁ ବୟାନ ଦେଇଛନ୍ତି ତାକୁ ନାପସନ୍ଦ କରିଛନ୍ତି।
Those of us who assisted in founding the party to undo the gross damage to Odisha by them in ’80s/’90s will find this difficult to swallow?? https://t.co/2XV8y84Bmm
— Baijayant Jay Panda (@PandaJay) October 23, 2017
ଗୁଜରାଟରେ ବିଜେପି ବିରୋଧରେ ସବୁ ରାଜନୈତିକ ଦଳ ଓ ସଂଗଠନ ଏକାଠି ହେଉଥିବା ଘଟଣାରେ ପ୍ରତିକ୍ରିୟା ରଖି ଡାକ୍ତର ରାଉତ ଗତକାଲି ଗଣମାଧ୍ୟମକୁ କହିଥିଲେ ଯେ ୨୦୦୯ ମସିହାରୁ ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂରତା ବଜାୟ ରଖିଆସିଛି। ହେଲେ ଭାରତର ଅଖଣ୍ଡତାକୁ ରକ୍ଷା କରିବାକୁ ହେଲେ ସାଂପ୍ରଦାୟିକତାର ବିଷମଞ୍ଜି ବୁଣୁଥିବା ବିଜେପିକୁ ଶାସନରୁ ଦୂରେଇ ରଖିବାକୁ ପଡ଼ିବ। ଏଥିଲାଗି ଅନ୍ୟ କୌଣସି ଦଳ ଯଦି ବିଜେଡିକୁ ସହଯୋଗ କରିବାକୁ ଚାହେଁ, ତାହା ହେଲେ ସେମାନଙ୍କୁ ଆନନ୍ଦର ସହକାରେ ଗ୍ରହଣ କରାଯାଇପାରେ। କଂଗ୍ରେସ ସହ ମିଶି ବିଜେଡି ଲଢିବାରେ ବାଧା ନାହିଁ। ଏପରିକି କଂଗ୍ରେସ କେଉଁ ଆସନରେ ଜିତିବ ସେ ନେଇ ପ୍ରସ୍ତାବ ଦେଉ ବୋଲି ଦାମ କହିଥିଲେ। ତେବେ କଂଗ୍ରେସ ସହ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ନେବେ ବୋଲି ଦାମ ସ୍ପଷ୍ଟ କରିଛନ୍ତି।
ଡାକ୍ତର ରାଉତଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଗୋଳମାଳ ଧରିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନ ଥିବା ବେଳେ ସାଂସଦ ବୈଜୟନ୍ତ ପଣ୍ଡା ଏହି ପ୍ରସଙ୍ଗରେ ଟ୍ଵିଟ୍ ଜରିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ତେବେ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ବିଜେଡିର ଅନ୍ୟ ନେତାମାନେ ମଧ୍ୟ ସିଧା ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି। ବରିଷ୍ଠ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ଦାମ ବାବୁ ଯାହା କହିଛନ୍ତି, ତାହା ତାଙ୍କ ବ୍ୟକ୍ତିଗତ ମତ। ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ବଜାୟ ରଖିଛ, ଆଗାମୀ ଦିନରେ ରଖିବ ମଧ୍ୟ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କଟକ ସାଂସଦ ଶ୍ରୀ ମହତାବ ମଧ୍ୟ କଂଗ୍ରେସ ସହିତ ସଂପର୍କ କଥା ଉଠାଇ ବିବାଦରେ ଫସିଥିଲେ। ଏପରିକି ତାଙ୍କୁ ଦଳ ପକ୍ଷରୁ କୈଫିୟତ ତଲବ କରାଯାଇଥିଲା। ଅବଶ୍ୟ ଏ ଘଟଣାରେ ଦଳ ପରବର୍ତୀ ସମୟରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା, କିନ୍ତୁ ଏହାକୁ ନେଇ ସେ ସମୟରେ ବହୁତ ହଲାପଟା ହୋଇଥିଲେ ଭର୍ତ୍ତୃହରି। ଏବେ ଡାକ୍ତର ରାଉତଙ୍କ ଭଳି ଅଭିଜ୍ଞ ନେତା ହଠାତ କାହିଁକି ଏଭଳି କହିଲେ, ତାଙ୍କ ମୁହଁରେ ଦଳ ଏକଥା କୁହାଇଲା କି? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମହଲରେ ଉଙ୍କି ମାରୁଛି।