ରାଜ୍ୟସଭା ପ୍ରାର୍ଥୀ ଚୟନ : ନବୀନଙ୍କ ସନ୍ତୁଳିତ ନିଷ୍ପତ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ତାଲିକାରେ ଦୁଇଜଣ ଚିହ୍ନା ମୁହଁ ଥିବା ବେଳେ ରାଜ୍ୟ ରାଜନୀତିରେ ଅପେକ୍ଷାକୃତ ଅଳ୍ପ ପରିଚିତ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ରାଜ୍ୟସଭା ଲାଗି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାମ ଘୋଷଣା କରିଛନ୍ତି। ପ୍ରାର୍ଥୀ ଚୟନକୁ ରାଜନୈତିକ ବିଶେଷଜ୍ଞମାନେ ଏକ ସନ୍ତୁଳିତ ନିଷ୍ପତ୍ତି ବୋଲି କହିଛନ୍ତି।

ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜୁ ଜନତା ଦଳ ଯେ ଆଞ୍ଚଳିକ ସନ୍ତୁଳନ ସହିତ ସଂଖ୍ୟଲଘୁ ଓ ମହିଳାଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେଉଛି ତାହା ସ୍ପଷ୍ଟ ହୋଇଛି। ବାମପନ୍ଥୀ ରାଜନୀତିରୁ ବିଜୁ ଜନତା ଦଳକୁ ଆସିଥିବା ସୁବାସ ସିଂ ଉପକୂଳ ଅଞ୍ଚଳ କଟକର ନେତା ହୋଇଥିବା ବେଳେ ମୁନ୍ନା ଖାଁ ବିଜୁ ଜନତା ଦଳର ସଂଖ୍ୟାଲଘୁ ଚେହେରା ଓ ସେ ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର ଅଞ୍ଚଳର ନେତା । ସେହିପରି ୯ଟି ଆଦିବସୀ ବହୁଳ ଜିଲ୍ଲାର ବିକାଶ ଲାଗି ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଥିବା ସୁଜିତ କୁମାର ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ଜଣାଶୁଣା। ଅନ୍ୟପକ୍ଷରେ ବିଜୁ ମହିଳା ଜନତା ଦଳର ମୟୁରଭଞ୍ଜ ଜିଲ୍ଲାର ସକ୍ରିୟ କର୍ମୀ ମମତା ମହାନ୍ତଙ୍କୁ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ। ଏହା ଦ୍ୱାରା ଉତ୍ତର ଓଡ଼ିଶାର ପ୍ରତିନିଧିତ୍ୱ ଅପରିବର୍ତ୍ତିତ ରହିବା ସହ ଏସ୍‌ଏସ୍‌ଜି ଆନ୍ଦୋଳନର ଅନ୍ୟତମ ସଫଳ ଚେହେରା ମମତାଙ୍କୁ ଚୟନ କରି ଦଳ ମହିଳା ବର୍ଗଙ୍କୁ ମଧ୍ୟ ଗୁରୁତ୍ୱ ଦେଉଥିବା ସ୍ପଷ୍ଟ କରିଛି।

ବିଜେଡି ସୁପ୍ରିମୋ ୪ଟି ଆସନର ଆବଣ୍ଟନରେ ଆଞ୍ଚଳିକ ସନ୍ତୁଳନ ରକ୍ଷା କରିଛନ୍ତି। ଉପକୂଳ ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ନେତାଙ୍କୁ ପ୍ରାର୍ଥୀଭାବେ ମନୋନୀତ କରିଛନ୍ତି। ସୁବାସ ସିଂହ ଉପକୂଳ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଓ ଦଳର ମୁଖପାତ୍ର। ସେ ୨୦୧୯ରେ କଟକ-ବାରବାଟୀରୁ ଟିକେଟ ଆଶାୟୀ ଥିଲେ କିନ୍ତୁ ତାଙ୍କୁ ମିଳି ନ ଥିଲା। ପଶ୍ଚିମ ଓଡ଼ିଶାରୁ ଅପେକ୍ଷାକୃତ ଅଳ୍ପ ପରିଚିତ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଛି। ସେ ଜଣେ ଉଚ୍ଚଶିକ୍ଷିତ ତଥା ବିଦେଶ ପଢ଼ୁଆ ବ୍ୟକ୍ତି। ଏହା ପୂର୍ବରୁ ତାଙ୍କୁ ୯ଟି ଜିଲ୍ଲାର ଆଦିବାସୀଙ୍କ ବିକାଶ ଲାଗି ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଦାୟିତ୍ୱ ଦିଆଯାଇଥିଲା, ଯାହାକୁ ସେ ସନ୍ତୋଷଜନକ ଭାବେ ତୁଲାଇଥିଲେ। ବିଜେଡିର ସଂଖ୍ୟାଲଘୁ ଚେହେରା ମୁନ୍ନା ଖାଁ ମୂଳରୁ ଦଳ ସହିତ ରହି ଆସିଛନ୍ତି। ଏଥିପୂର୍ବରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ। ତାଙ୍କୁ ଦଳ ନିର୍ବାଚନୀ ମଇଦାନକୁ କେବେ ବି ଓହ୍ଲାଇ ନ ଥିଲା। ଚତୁର୍ଥ ପ୍ରାର୍ଥୀ ମମତା ମହାନ୍ତ ମୟୁରଭଞ୍ଜର ନେତ୍ରୀ। ଏସ୍‌ଏସ୍‌ଜି ଆନ୍ଦୋଳନରେ ତାଙ୍କର ରହିଛି ସକ୍ରିୟ ଭୂମିକା। ଅଳ୍ପ ପରିଚିତ ହେଲେ ବି ମହିଳା କାର୍ଡ ଯୋଗୁଁ ତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର