କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ହୁଗ୍‌ଲିରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି କି ‘ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ମନ ସ୍ଥିର କରିସାରିଲାଣି।’

Advertisment

ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ବିଜେପି)ର ଏକ ଦଳୀୟ ରାଲିକୁ ସମ୍ବୋଧନ କରି ମୋଦୀ ଏପରି କହିଛନ୍ତି। ‘ମୋଦୀ, ମୋଦୀ’ ସ୍ଲୋଗାନ୍‌ରେ ଆରମ୍ଭ ହୋଇଥିବା ଏହି ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ପରୋକ୍ଷରେ ଏଥର ତାଙ୍କ ଦଳ ଶାସନ କ୍ଷମତାକୁ ଆସିବ ବୋଲି ଇଙ୍ଗିତ ଦେଇଛନ୍ତି।

ଲୋକମାନଙ୍କ ମଧ୍ୟରେ ଥିବା ଶକ୍ତି ଓ ଉତ୍ସାହ ପଶ୍ଚିମବଙ୍ଗରୁ ଦିଲ୍ଳୀ ପର୍ଯ୍ୟନ୍ତ ଏକ ବାର୍ତ୍ତା ପଠାଉଛି ବୋଲି ମୋଦୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ତାରକେଶ୍ୱର କ୍ଷେତ୍ରର ବାବା ତାରକ ନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ ଭାଷଣ ଆରମ୍ଭ କରିଥିଲେ।

ଅପରପକ୍ଷରେ, ତୃଣମୂଳ କଂଗ୍ରେସ(ଟିଏମ୍‌ସି)ଦାବି କରିଛି ଯେ ‘ବଙ୍ଗ ନିଜ ଝିଅକୁ ଚାହେଁ’। ଅର୍ଥାତ ବର୍ତ୍ତମାନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ମମତା ବାନାର୍ଜୀ ହିଁ ଆଗାମୀ ନିର୍ବାଚନ ଜିତିବେ ବୋଲି ଦାବି କରି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଶନିବାର ତା’ର ନୂଆ ସ୍ଲୋଗାନ୍ ‘ବାଂଲା ନିଜେର୍‌ ମାଏକେଇ ଚାଏ’‌ ଜାରି କରିଛି।

ଟିଏମ୍‌ସିର ମହାସଚିବ ପାର୍ଥ ଚାଟର୍ଜୀ କହିଛନ୍ତି, ‘ରାଜ୍ୟବାସୀ ତାଙ୍କ ନିଜ ଝିଅକୁ କ୍ଷମତାରେ ଦେଖିବାକୁ ଚାହାନ୍ତି, ଯିଏକି ବେଶ୍‌ କିଛି ବର୍ଷ ହେବ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ସହ ରହି ଆସିଛନ୍ତି। ଆମେ କୌଣସି ବାହାର ଲୋକଙ୍କୁ ଚାହୁଁନା।’