ବଙ୍ଗ ନିଜର ଝିଅକୁ ହିଁ ଚାହେଁ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସି ଜାରି କଲା ନୂଆ ସ୍ଲୋଗାନ୍‌

କୋଲକାତା: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଶନିବାର ତା’ର ନୂଆ ସ୍ଲୋଗାନ୍ ‘ବାଂଲା ନିଜେର୍‌ ମାଏକେଇ ଚାଏ’‌ ଜାରି କରିଛି। ଯାହାର ଅର୍ଥ ହେଉଛି, ‘ପଶ୍ଚିମବଙ୍ଗକୁ ତା’ର ନିଜର ଝିଅ ଦରକାର’। ଟିଏମ୍‌ସିର ମୁଖିଆ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଷ୍ଟିରେ ରଖାଯାଇ ଏହି ‌ସ୍ଲୋଗାନ୍‌ ଜାରି କରାଯାଇଛି। କୋଲକାତାରେ ଲାଗିଥିବା ଟିଏମ୍‌ସିର ଦଳୀୟ ହୋର୍ଡିଂରେ ମମତାଙ୍କ ଫଟୋ ସହ ଏହି ସ୍ଲୋଗାନ୍ ଲଗାଯାଇଛି।

ଟିଏମ୍‌ସିର ମହାସଚିବ ପାର୍ଥ ଚାଟର୍ଜୀ କହିଛନ୍ତି, ‘ରାଜ୍ୟବାସୀ ତାଙ୍କ ନିଜ ଝିଅକୁ କ୍ଷମତାରେ ଦେଖିବାକୁ ଚାହାନ୍ତି, ଯିଏକି ବେଶ୍‌ କିଛି ବର୍ଷ ହେବ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ସହ ରହି ଆସିଛନ୍ତି। ଆମେ କୌଣସି ବାହାର ଲୋକଙ୍କୁ ଚାହୁଁନା।’

ବିଜେପିକୁ ନିଜର ତୀବ୍ର ପ୍ରତିଦ୍ବନ୍ଦ୍ବୀ ବୋଲି ଭାବୁଥିବା ଟିଏମ୍‌ସି ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ତା’ର ପ୍ରସ୍ତୁତି ଆରମ୍ଭ କରିଛି। ବିରୋଧୀ ଦଳ ନେତାମାନଙ୍କୁ ବାହାର ଲୋକ ବୋଲି ସମ୍ବୋଧନ କରିବା ସହ ସେମାନେ ରାଜ୍ୟକୁ ‘ନିର୍ବାଚନୀ ପର୍ଯ୍ୟଟନ’ରେ ଆସିଛନ୍ତି ବୋଲି କହିଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଫେବ୍ରୁଆରି ୨୩ ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା କରାଯାଇପାରେ। ମିଳିଥିବା ସୂଚନା ଅନୁଯାୟୀ ଗତଥର ଅପେକ୍ଷା ଏଥର ଶୃଙ୍ଖଳା ରକ୍ଷା ଲାଗି ସୁରକ୍ଷା କର୍ମୀ ସଂଖ୍ୟା ୨୫ ରୁ ୩୦ ପ୍ରତିଶତ ଅଧିକ କରାଯାଇପାରେ । ଗତ ମାସରେ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା ନିର୍ବାଚନ ଆୟୋଗର ପର୍ଯ୍ୟବେକ୍ଷକ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର