ଭଜମନ ବେହେରା କଂଗ୍ରେସ ମୁହାଁ

ଝିଅ ପାଇଁ ତ୍ୟାଗ

ଅନୁଗୁଳ : କଂଗ୍ରେସରେ ଯୋଗଦେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା। ଏଥିସହିତ ତାଙ୍କ ଦଳ ଓଡ଼ିଶା ମୁକ୍ତି ମୋର୍ଚ୍ଚା ଓ ଏହାର ସାମାଜିକ ଶାଖା ବହୁଜନ ଏକତା ପରିଷଦ ବି ଏହି ଦଳରେ ସାମିଲ ହେବ। ନିଜ ଝିଅ ସସ୍ମିତା ବେହେରାଙ୍କ ରାଜନୈତିକ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

କଂଗ୍ରେସ ନିର୍ବାଚନ କମିଟି ଛେଣ୍ଡିପଦା ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ କରାଇବା ପାଇଁ ସସ୍ମିତା ବେହେରା ଓ ନରୋତ୍ତମ ନାଏକଙ୍କ ନାମ ଏଆଇସିସିକୁ ସୁପାରିସ କରିଛି। ସସ୍ମିତା ଏବେ ପିସିସିର ଉପସଭାପତି ଅଛନ୍ତି। ଛେଣ୍ଡିପଦାରୁ ନାମ ସୁପାରିସ ପରେ ସସ୍ମିତା ମଧ୍ୟ ନିଜର ରାଜନୈତିକ ଗତବିଧି ଜୋର୍‌ଦାର କରି ଦେଇଛନ୍ତି।

ପ୍ରତିଦିନ ବିଭିନ୍ନ ଜାଗାରେ ସଭାସମିତି ଆୟୋଜନ କରୁଥିବା ବେଳେ ଆଜି ବାଗଡ଼ିଆ ପଞ୍ଚାୟତ ସାପୋଇନାଳି ବ୍ୟୋମଯାନ ପଡ଼ିଆରେ ଅନୁଷ୍ଠିତ କଂଗ୍ରେସ କର୍ମୀ ସମ୍ମିଳନୀରେ ଓଡ଼ିଶା ମୁକ୍ତି ମୋର୍ଚ୍ଚାର ରାଜ୍ୟ ସଭାପତି ଥିବା ଭଜମନ ବେହେରା ଯୋଗ ଦେଇ ଭାଷଣ ବି ଦେଇଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସରେ ସେ ସାମିଲ ହେବା ସଂକ୍ରାନ୍ତରେ ଭଜମନଙ୍କୁ ପଚାରିବାରୁ ସେ କହିଲେ, ପିସିସି ସଭାପତି ନିରଜଂନ ପଟ୍ଟନାୟକ ଓ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହିତ ଇତିମଧ୍ୟରେ ପ୍ରାରମ୍ଭିକ କଥାବାର୍ତ୍ତା ହୋଇଛି। ୨୦୦୬ ମସିହାରେ ଗଠିତ ଓଡ଼ିଶା ମୁକ୍ତି ମୋର୍ଚ୍ଚା ୨୦୦୯ ମସିହାରେ ନିର୍ବାଚନ ଲଢ଼ଥିଲା। ଅର୍ଥାଭାବ କାରଣରୁ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ଦେଇନଥିଲା। ଆମେ କଂଗ୍ରେସ ପାଇଁ କାମ କରୁଛୁ। କେନ୍ଦ୍ରରେ କ୍ଷମତାକୁ ଆସିବାରେ ବିଜେପିକୁ ରୋକିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର