ଉପକୂଳ ଓଡ଼ିଶାରେ ତିନି ବିଜେଡି ନେତାଙ୍କ ସ୍ଥାନରେ ସେମାନଙ୍କର ପୁଅ ହେଲେ ଦଳୀୟ ପ୍ରାର୍ଥୀ

ଭୁବନେଶ୍ୱର : ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ଏଥର ବିଜୁ ଜନତା ଦଳର ତିନୋଟି ନିର୍ବାଚନ ମଣ୍ଡଳୀରେ ବାପ-ପୁଅଙ୍କ ମଧ୍ୟରେ ଆସନ ଅଦଳ ବଦଳ ହୋଇଛି । ଆଜି ବିଜୁ ଜନତା ଦଳର ଘୋଷିତ ପ୍ରାର୍ଥୀ ତାଲିକା ମଧ୍ୟରେ ତିନି ଜଣ ପୁଅ ସେମାନଙ୍କ ବାପାଙ୍କ ଜାଗାରେ ସ୍ଥାନ ପାଇଛନ୍ତି ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ । ସେଥିପାଇଁ ତାଙ୍କ ସ୍ଥାନରେ ତାଙ୍କ ପୁତ୍ର ବିଷ୍ଣୁବ୍ରତ ରାଉତରାୟଙ୍କୁ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ମନ୍ତ୍ରୀ ଶ୍ରୀ ରାଉତରାୟ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କ ପୁଅଙ୍କ ପାଇଁ ପ୍ରଚାର ଆରମ୍ଭ କରି ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀଙ୍କ ମତରେ ସକ୍ରିୟ ରାଜନୀତିରୁ ଅବସର ନେବା ପାଇଁ ରାଜନେତାଙ୍କ ଲାଗି ମଧ୍ୟ ବୟସ ସୀମା ରହିବା ଉଚିତ୍‌ । ତା’ ପରେ ଯୁବପିଢ଼ିଙ୍କୁ ରାସ୍ତା ଛାଡ଼ିଦେବା ଉଚିତ୍‌ ।

ଅନ୍ୟ ପକ୍ଷରେ, ଚିଟ୍‌ ଫଣ୍ଡ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଦୁଇଜଣ ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳ ଏଥର ନିଜେ ଲଢ଼ିବେ ନାହିଁ ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ । ସେମାନଙ୍କ ସ୍ଥାନରେ ସେମାନଙ୍କ ପୁତ୍ର ଦ୍ୱୟଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସେମାନେ ପରୋକ୍ଷରେ ପ୍ରସ୍ତାବ ଦେଇଥିଲେ । ସେହି ଅନୁଯାୟୀ, ବାଙ୍କିରୁ ଦଳୀୟ ପ୍ରାର୍ଥୀ ଭାବେ ତ୍ରିପାଠୀଙ୍କ ପୁଅ ଦେବୀ ରଂଜନ ଏବଂ କଟକ-ଚୌଦାର ଆସନରୁ ବିଶ୍ୱାଳଙ୍କ ପୁଅ ସୌଭିକଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ସମ୍ବନ୍ଧିତ ଖବର