ରାଜଧାନୀ ରଣାଙ୍ଗନ : ପ୍ରମୁଖ ଲୋକସଭା ପ୍ରାର୍ଥୀଙ୍କ ଲାଗି ଭୁବନେଶ୍ୱର ମଇଦାନ ନୂଆ, ବିଧାନସଭା ଲଢ଼େଇରେ ମିଶ୍ରିତ ଚେହେରା

ଭୁବନେଶ୍ୱର(ଧୃତିକାମ ମହାନ୍ତି) : ରାତି ପାହିଲେ ରାଜଧାନୀରେ ଭୋଟ। ତେବେ ଭୋଟ ପୂର୍ବରୁ ଭୁବନେଶ୍ୱରର ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରାଜଧାନୀ ଭୁବନେଶ୍ୱରର ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ଏବଂ ଏଠାରେ ଗତକାଲି ରାତିରେ ଭୁବନେଶ୍ୱର(ମଧ୍ୟ)ନିର୍ବାଚନ ମଣ୍ଡଳୀର ଉଭୟ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଯାଇଛି। ଏହା ବାତାବରଣକୁ ଉତ୍ତେଜନାପୂର୍ଣ୍ଣ କରିବା ସହ ପରସ୍ପର ବିରୋଧୀ ବୟାନବାଜିକୁ ତେଜିଛି।

ଏଥର ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ଦୁଇଜଣ ପୂର୍ବତନ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଲଢେଇ ହେଉଛି। ବିଜୁ ଜନତା ଦଳ ମୁମ୍ବାଇର ପୂର୍ବତନ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଆଇଏଏସ୍‌ ଅଫିସର ଅପରାଜିତା ଷଡଙ୍ଗୀ।

ମୁମ୍ବାଇ ପୁଲିସର ଏନ୍‌ କାଉଣ୍ଟର ମ୍ୟାନ୍‌ ଭାବେ ପରିଚିତ ବରିଷ୍ଠ ଆଇପିଏସ୍‌ ଅଫିସର ଅରୂପ ଏଥର ପାଞ୍ଚ ପାଞ୍ଚ ଥର ଜିତିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଅପରାଜିତା ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ ଏବଂ ସେଥିପାଇଁ ସେ ଭୁବନେଶ୍ୱରରେ ବେଶ ଜଣାଶୁଣା।

Odisha Sun Times

ଏ ଦୁହିଁଙ୍କ ବିପକ୍ଷରେ ଲଢୁଛନ୍ତି କଂଗ୍ରେସ ସମର୍ଥିିତ ସିପିଏମ୍‌ ପ୍ରାର୍ଥୀ ଜନାର୍ଦ୍ଦନ ପତି। ଜନାର୍ଦ୍ଦନ ଦୀର୍ଘ ବର୍ଷ ଧରି ସିପିଏମ୍‌ର ରାଜ୍ୟ ସଂପାଦକ ଥିଲେ ଏବଂ ରାଜ୍ୟବାସୀଙ୍କ ପାଖରେ ବେଶ୍‌ ଜଣାଶୁଣା। ପୂର୍ବରୁ ସିପିଏମ୍‌ ସହିତ ଜନତା ପାର୍ଟି ଓ ଜନତା ଦଳର ମେଣ୍ଟ ହୋଇଥିବାରୁ ଏଠାରୁ ସିପିଏମ୍‌ ପ୍ରାର୍ଥୀ ଶିବାଜୀ ପଟ୍ଟନାୟକ ତିନି ତିନିଥର (୧୯୭୭,୧୯୮୯ ଏବଂ ୧୯୯୧) ନିର୍ବାଚନ ଜିତିଥିଲେ। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ୧୯୯୮ ମସିହାଠାରୁ ବିଜୁ ଜନତା ଦଳର କବ୍‌ଜାରେ ରହିଛି। ତା’ପୂର୍ବରୁ ୧୯୯୬ ମସିହାରେ କଂଗ୍ରେସ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏହି ଆସନ ଜିତିଥିଲେ।

ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବ୍‌ଜାରେ ରହିଛି। ତେବେ ବିଜୁ ଜନତା ଦଳ ସୁପ୍ରିମୋ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ତଥା ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଓ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟଙ୍କ ବ୍ୟତୀତ ଅନ୍ୟ ଆସନରେ ପ୍ରାର୍ଥୀ ବଦଳାଇଛନ୍ତି। ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀରେ ବିଜୟ କୁମାର ମହାନ୍ତିଙ୍କ ସ୍ଥାନରେ ଏଥର ପ୍ରାର୍ଥୀ ହୋଇଛନ୍ତି ଭୁବନେଶ୍ୱରରେ ଦୁଇ ଦୁଇ ଥର ମେୟର୍‌ ହୋଇଥିବା ଅନନ୍ତ ନାରାୟଣ ଜେନା।

ସେହିପରି ଭୁବନେଶ୍ୱର(ଉତ୍ତର) ଆସନରେ ପ୍ରିୟଦର୍ଶୀ ମିଶ୍ରଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ନବାଗତ ସୁଶାନ୍ତ ରାଉତ। ତାଙ୍କ ବିପକ୍ଷରେ ଭାଜପାରୁ ଲଢୁଛନ୍ତି ଲୋକପ୍ରିୟ ଓଡ଼ିଆ ଚଳଚ୍ଚତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି। ତେଣେ ଜୟଦେବ ନିର୍ବାଚନ ମଣ୍ଡଳୀରେ ଏଥର ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ବଦଳରେ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲି।

ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି। ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ଏଥର ପ୍ରାର୍ଥୀ ରୂପେ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ଏବଂ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆକୁ ସ୍ଥାନାନ୍ତରିତ କରିଛନ୍ତି । ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଏବଂ ପୂର୍ବତନ ବେଗୁନିଆ ବିଧାୟକ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ଏଥର ବେଗୁନିଆରେ ଭାରତୀୟ ଜନତା ପାର୍ଟି ଟିକଟରେ ଲଢୁଛନ୍ତି।

ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର(ମଧ୍ୟ) ଆସନରେ ପୁଣି ଥରେ ଲଢୁଥିବା ବେଳେ ବିଜୁ ଜନତା ଦଳ ଛାଡ଼ି ଭାଜପାରେ ଯୋଗ ଦେଇଥିବା ବାବୁ ସିଂହ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ଏକାମ୍ର ଭୁବନେଶ୍ୱର ଆସନରେ। ଅନ୍ୟପକ୍ଷରେ ରଶ୍ମୀରେଖା ମହାପାତ୍ର କଂଗ୍ରେସର ପ୍ରାର୍ଥୀ ଭାବେ ସେମାନଙ୍କ ବିରୋଧରେ ପୁଣି ଏଥର ପ୍ରତିଦ୍ୱନ୍ଦ୍ୱିିତା କରୁଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ପୁଣି ଜଟଣୀରୁ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସମ୍ବନ୍ଧିତ ଖବର