ଭୁବନେଶ୍ୱର: ଦଳ ଛଡ଼ି ଆସିଥିବା ବିଭୁ ପ୍ରସାଦ ତରାଇ ଓ ରବି ମଲ୍ଲିକ ଚଳିତ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ଏହି ଦୁଇ ନେତାଙ୍କୁ ଟିକେଟ ମିଳିବା ସହିତ ସେମାନଙ୍କର ଆଶା ପୂରଣ ହୋଇଛି। ଦୁଇ ଦିନ ତଳେ ଏମାନେ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ କଂଗ୍ରେସ ଓ ବିଜେଡି ଛାଡ଼ିଥିଲେ। ନିଜ ନିଷ୍ପତ୍ତିରେ ଅଟଳ ରହି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ବିଜେପି ଆଜି ବିଭୁ ପ୍ରସାଦ ତରାଇଙ୍କୁ ଜଗତସିଂହପୁର ଲୋକସଭା ଆସନ ଏବଂ ରବି ମଲ୍ଲିକଙ୍କୁ କାକାଟପୁର ବିଧାନସଭା ଆସନ ପାଇଁ ଟିକେଟ ଦେଇଛି।
ଟିକେଟ ବିତରଣକୁ ନେଇ ଅସନ୍ତୁଷ୍ଟ ହୋଇ ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନେତୃତ୍ୱରେ କରାଯାଉଥିବା ବିକାଶମୂଳକ କାମରେ ଆକୃଷ୍ଟ ହୋଇ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଥିଲେ। ବିଜେପିରେ ଯୋଗଦେବା ପୂର୍ବରୁ ବିଭୁ ବୁଧବାର ନିଜ ଇସ୍ତଫା ପତ୍ରକୁ ଦଳୀୟ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିଲେ। ବିଭୁ ତରାଇଙ୍କୁ ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ତିର୍ତ୍ତୋଲ ଆସନରୁ ଟିକେଟ ଦିଆଯାଇଥିଲା। ମାତ୍ର ସେ ଜଗତସିଂହପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ।
/sambad/media/post_attachments/wp-content/uploads/2019/04/bjp-navbharattimes-300x224.jpg)
ଇସ୍ତଫା ପତ୍ରରେ ବିଭୁ ଦର୍ଶାଇଥିଲେ ଯେ, ଜଗତସିଂହପୁର ଲୋକସଭା ଆସନରୁ ପ୍ରତିମା ମଲ୍ଲିକଙ୍କୁ ଟିକେଟ ଦିଆଯାଇଛି। ମାତ୍ର ପ୍ରତିମା ତିର୍ତ୍ତୋଲ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ସେହିପରି ପାରାଦୀପ ଆସନରେ ବାପି ସର୍ଖେଲଙ୍କୁ କଂଗ୍ରେସ ଟିକେଟ ଦେଇଛି। ଅପରପକ୍ଷେ ବାପିଙ୍କ ନାଁରେ ଅପରାଧିକ ମାମଲା ରହିଛି ବୋଲି ବିଭୁ ତରାଇ ଅଭିଯୋଗ ଆଣିଥିଲେ।
ପୂର୍ବତନ କାକଟପୁର ପୂର୍ବତନ ବିଧାୟକ ରବି ମଲ୍ଲିକ ଶୁକ୍ରବାର ପୂର୍ବାହ୍ନରେ ବିଜୁ ଜନତା ଦଳ ଛାଡ଼ିବା ପରେ ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରବି ବିଜେପିରେ ସାମିଲ ହୋଇଥିଲେ।
ରବି ମଲ୍ଲିକ ବିଜେଡିର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ଏବଂ ବିଜେପିର ବିକାଶମୂଳକ ଯୋଜନାରେ ଆକୃଷ୍ଟ ହୋଇ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ। ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ରବି ମଲ୍ଲିକ ୨୦୦୯ରୁ ୨୦୧୪ଯାଏଁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।