ନୀତିଶଙ୍କୁ ଭେଟିଲେ ଅମିତ ଶାହା, ଆସନ ଭାଗବଣ୍ଟାକୁ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବୁଧବାର ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ଭେଟିବାକୁ ତାଙ୍କ ଘରକୁ ଯାଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଏହା ପୂର୍ବରୁ ଗତ ଜୁଲାଇ ୧୨ରେ ଅମିତ ଶାହା ପାଟଣା ଗସ୍ତରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଭେଟିଥିଲେ। ସେହି ସମୟରେ ଆସନ ଭାଗବଣ୍ଟାକୁ ନେଇ ଆଲୋଚନା ହୋଇଥିଲା। ନୀତିଶ କୁମାର ରବିବାର ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କହିଥିଲେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହିତ ତାଙ୍କର ଆଲୋଚନା ହୋଇଛି। ସେ କହିଥିଲେ, ଜୁଲାଇ ୧୨ରେ ଅମିତ ଶାହା ପାଟଣା ଗସ୍ତରେ ଆସିଥିବା ବେଳେ ଆଲୋଚନା ହୋଇଥିଲା। ଏହା ପରେ ଏହି ମାମଲାରେ ଆମେ ଆଲୋଚନା କରିଥିଲୁ। ସେ କହିଥିଲେ ଆସନ ସଂଖ୍ୟା ନେଇ କିଛି ଦିନ ମଧ୍ୟରେ ଘୋଷଣା କରାଯିବ।

ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ମଙ୍ଗଳବାର ନୀତିଶ କୁମାରଙ୍କୁ ନୂଆଦିଲ୍ଲୀସ୍ଥିତ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ନୀତିଶଙ୍କୁ ଜ୍ୱର ଓ ଆଣ୍ଠୁରେ ଯନ୍ତ୍ରଣାଜନିତ ସମସ୍ୟା ଥିଲା। ସେ ସୋମବାର ଅଚାନକ ଦିଲ୍ଲୀ ଗସ୍ତରେ ପହଞ୍ଚି ଥିଲେ। କିଛି ଦିନ ତଳେ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଖବର ଆସିବା ପରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ମେଡିକାଲ ବୁଲେଟିନ ଜାରି କରିବାକୁ ଦାବି କରିଥିଲେ।

ସମ୍ବନ୍ଧିତ ଖବର