ବିଜେପୁର ରାଜନୀତି: ଇସ୍ତଫା ଡ୍ରାମାରେ ପୂର୍ଣ୍ଣଛେଦ

ଭୁବନେଶ୍ୱର/ବରଗଡ଼: ବିଜେପିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କ ଇସ୍ତଫା ଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିଛି। ଆଜି ଭୁବନେଶ୍ୱରରେ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ଆଲୋଚନା ପରେ ଦଳ ଛାଡ଼ିବେ ନାହିଁ ବୋଲି ଜୋର୍‌ ଦେଇଛନ୍ତି ନାରାୟଣ। ସେ କହିଛନ୍ତି, ମୁଁ ବିଜେପିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ଦଳରେ ଥିଲି, ଅଛି ଓ ରହିବି। ମୋ ପାଇଁ ବ୍ୟକ୍ତି ନୁହେଁ, ଦଳ ବଡ଼।
ଗତକାଲି ବିଜେପୁରରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ସାମିଲ୍‌ ହେଲା ପରେ ଶ୍ରୀ ସାହୁଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଅଶୋକଙ୍କ ମିଶ୍ରଣକୁ ସେ ଚାହୁନଥିବାରୁ ତାହାର ପ୍ରତିବାଦରେ ଇସ୍ତଫା ଦେଇଥିବା କୁହାଯାଇଥିଲା। ଗତକାଲି ଠାରୁ ତାଙ୍କୁ ମନାଇବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ ଚାଲିଥିଲା। ଆଜି ଭୁବନେଶ୍ୱରରେ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ବାସଭବନରେ ଏକ ବୈଠକରେ ରାଜ୍ୟ ନେତୃମଣ୍ଡଳୀ ଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ। ଏଥିରେ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡଳର ସଭାପତିମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀ ସାହୁ ବୁଝିଯାଇଥିଲେ ଓ ଦଳ ଛାଡ଼ିବେନାହିଁ ବୋଲି ଜଣାଇଥିଲେ। ଏହି ମର୍ମରେ ବିଜେପି ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ବି ଜାରି କରାଯାଇଥିଲା।
ଇସ୍ତଫା ପ୍ରସଙ୍ଗକୁ ନେଇ ଶ୍ରୀ ସାହୁ କହିଛନ୍ତି, ସେ ଦଳୀୟ ସଭ୍ୟ ପଦରୁ ନୁହେଁ, ବରଂ ଜିଲ୍ଲା ସଭାପତି ପଦରୁ ଇ-ମେଲ୍‌ ମାଧ୍ୟମରେ ଇସ୍ତଫା ପତ୍ର ପଠାଇଥିଲେ। କିନ୍ତୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଭରସା ରଖି ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି। ସେଥିପାଇଁ ସେ ରାଜ୍ୟ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ବିଜେପୁରରୁ ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥିତ୍ୱ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଶ୍ରୀ ସାହୁ କହିଛନ୍ତି, ଦଳର ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବ ସେହି ଆଧାରରେ ମୁଁ କାର୍ଯ୍ୟ କରିବି। ବିଜେପୁର ଉପନିର୍ବାଚନରେ ବିଜେପିର ବିଜୟ ମୋର ପ୍ରାଥମିକତା ହେବ।
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ସାହୁ ତାଙ୍କର ବ୍ୟକ୍ତିଗତ ମତ ରଖିବାର ପୂର୍ଣ୍ଣ ସ୍ୱାଧୀନତା ବିଜେପି ପରି ଗଣତାନ୍ତ୍ରିକ ଦଳରେ ଅଛି। ଠିକ୍‌ ସମୟରେ ଠିକ୍‌ ସମାଧାନ ହୋଇଛି। ଶ୍ରୀ ସାହୁ ଜଣେ ଦାୟିତ୍ୱସମ୍ପନ୍ନ ଓ ଦଳର ବିଚାରଧାରାର ସମର୍ପିତ କାର୍ଯ୍ୟକର୍ତ୍ତା। ସମସ୍ତେ ବିଜେପୁର ଉପନିର୍ବାଚନରେ ଦଳର ବିଜୟ ପାଇଁ ମନପ୍ରାଣ ଦେଇ କାମ କରିବେ।

 

ସସ୍‌ପେନ୍ସ ସୃଷ୍ଟି କଲେ ସୁରେଶ

ବରଗଡ଼: ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରଗଡ଼ ବିଜେପି ଜିଲ୍ଲା ସଭାପତି ନାରାୟଣ ସାହୁଙ୍କୁ ପ୍ରଶଂସା କରିବା ସହ ସେ ହିଁ ବିଜେପୁର ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି କହି ସସ୍‌ପେନ୍ସ ସୃଷ୍ଟି କରିଛନ୍ତି। ଗୋଟେ ପଟେ ବିଜେପି ବରପାଲିରେ ବହୁ ଆଡ଼ମ୍ବରରେ ମିଶ୍ରଣ ପର୍ବ କରି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ପାର୍ଥିତ୍ୱକୁ ଏକ ପ୍ରକାର ସଂକେତ ଦେଇଥିବାବେଳେ ଶ୍ରୀ ପୂଜାରୀଙ୍କ ଏହି ବୟାନ ପୁଣି ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ଏଭଳି ବୟାନ ପଛର କାରଣ ଦଳ ଉପରେ ଖପ୍ପା ଥିବା ନାରାୟଣଙ୍କୁ ଭୁତେଇବା ପାଇଁ ନା ଅନ୍ୟ ସମ୍ଭାବନାକୁ ଇଙ୍ଗିତ, ଏନେଇ ଆଲୋଚନା ଜୋର୍‌ ଧରିଲାଣି।

ସମ୍ବନ୍ଧିତ ଖବର