କ’ଣ କରିବେ ବିଜୟ?

ଭୁବନେଶ୍ୱର : ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଖୁବ୍‌ ଶୀଘ୍ର କେନ୍ଦ୍ରାପଡାରେ ଏକ ବୈଠକର ଆୟୋଜନ କରାଯାଇ ବିଜେପି ରାଜ୍ୟ ନେତୃତ୍ୱ ତାଙ୍କୁ ନିଜର ସଦସ୍ୟ ବୋଲି ଘୋଷଣା କରିବେ। ଠିକ୍‌ ଏମିତି ସମୟରେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ବିଜୟ କେତନ ସ୍ୱାଇଁ ଶୁକ୍ରବାର ଦଳରୁ ଇସ୍ତଫା ଦେଇଛନ୍ତି। ଏହାକୁ ଅତି ହାଲୁୂକା ଭାବେ ନେଇ ବିଜେପି କହିଛି, ସେ ଆଉ ସକ୍ରିୟ ସଦସ୍ୟ ନ ଥିଲେ,ତାଙ୍କ ଇସ୍ତଫାର ପ୍ରଭାବ ନାହିଁ। ହେଲେ ଏହି ଛୋଟ ଘଟଣାଟି କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ସୀମା ସରହଦ ଡେଇଁ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସତ କହିବାକୁ ଗଲେ ବିଜୟକେତନଙ୍କ ପଛର ମହାନାୟକ ହେଉଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ବିଜେଡିରୁ ବିଦା ହେବା ପରଠାରୁ ବିଜୟ ଯେଉଁଆଡେ ଯେତେବେଳେ ଯାଇଛନ୍ତି, ବିଜୟ କେତନ ସେଇଠି, ସେତେବେଳେ ପ୍ରଭାବୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଯେହେତୁ ବିଜୟ ମହାପାତ୍ର ବିଜେପିରେ କୋଣଠେସା ହୋଇଯାଇଛନ୍ତି, ଏଣୁ ସ୍ୱାଭାବିକ ଭାବେ ବିଜୟକେତନଙ୍କର ବି ପ୍ରଭାବ କମିଥିଲା। ଏବେ କିନ୍ତୁ ରାଜନୈତିକ ମହଲରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି। ବିଜୟକେତନ ଯଦି ବିଜେପି ଛାଡିଲେ, ବିଜୟ ମହାପାତ୍ର କଣ ବିଜେପିରେ ରହିବେ?

ଉଲ୍ଲେଖଯୋଗ୍ୟ, ବିଭିନ୍ନ କାରଣର ଗତ ଦୁଇ ଦଶନ୍ଧି ଧରି ଚର୍ଚ୍ଚାରେ ରହିଆସିଛନ୍ତି ବିଜୟ ମହାପାତ୍ର। ଜନତା ଦଳକୁ ନିଷ୍ପ୍ରଭ କରି ବିଜେଡିର ଜନ୍ମ ଜାତକ ଲେଖିବା ହେଉ କି ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଆବିର୍ଭାବ ଘଟଣା, ଶେଷ ମୁହୂର୍ତରେ ନବୀନ ତାଙ୍କ ଟିକେଟ୍‌ କାଟିଦେବା ଠାରୁ ଆରମ୍ଭ କରି ଓଜିପି, ଏନ୍‌ସିପି ଓ ବିଜେପିରେ ଯୋଗଦାନ ଯାଏ, ଏସବୁ ତାଙ୍କୁ ବିତର୍କ ଭିତରକୁ ଆଣିଛି। ହେଲେ ରାଜ୍ୟ ବିଜେପି ଭିତରେ କିଛି ସମୟ ପାଇଁ ବେଶ୍‌ କ୍ଷମତାଶାଳୀ ହୋଇପଡିଥିବା ବିଜୟ କିନ୍ତୁ ଗତ ଅଢେଇ ବର୍ଷ ଧରି ପଦ୍ମ ବନରେ ମଉଳି ଗଲେଣି। ଏବେ ସ୍ଥିତି ଏମିତି ଅବସ୍ଥାକୁ ଆସିଛି ଯେ ଦଳର ରଣନୀତି ବୈଠକରେ ତାଙ୍କର ଦେଖା ମିଳୁନି, କି ସେ କାର୍ଯ୍ୟକାରିଣୀରେ ବି ଯୋଗ ଦେଉନାହାନ୍ତି।

ସମାନ୍ତରାଳ ଭାବେ ରାଜ୍ୟ ବିଜେପି ନେତା ବି ବିଜୟଙ୍କୁ ଅଲୋଡ଼ା କରି ସାରିଲେଣି। ନିଜ ଗଡ଼ କେନ୍ଦ୍ରାପଡାରେ ବି ଦଳ ତାଙ୍କୁ ବେଖାତିର୍‌ କରିଛି। ଗୋଟିଏ ସମୟରେ ଅତ୍ୟନ୍ତ ଘନିଷ୍ଠ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କୁ ଗୋଟିଏ ମଞ୍ଚରେ ତ ଦେଖିବାକୁ ମିଳୁନି, କଥାବାର୍ତ୍ତା ନାହିଁ ବୋଲି ବି କେହି କେହି କହିଲେଣି। ବିଜୟଙ୍କ ମନ୍ତବ୍ୟକୁ ଦଳୀୟ ନେତାମାନେ ଫୁଲ୍‌ ଦମ୍‌ରେ ଗଣମାଧ୍ୟମରେ ବିରୋଧ କରିବାକୁ ପଛାଉନାହାନ୍ତି। ଖୋଦ୍‌ ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ କିଛି ଦିନ ପୂର୍ବରୁ ବିଜୟଙ୍କ ବିରୋଧରେ କେନ୍ଦ୍ରୀୟ ନେତୃତ୍ୱକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା କଥା ସୂଚାଇଥିଲେ।

ହେଲେ ବିଜୟଙ୍କ ସମର୍ଥକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଟିଏ କଥା କିନ୍ତୁ ଢେର୍‌ ଆନ୍ଦୋଳିତ କରୁଛି। ଅତ୍ୟନ୍ତ ସ୍ୱାଭିମାନୀ ନେତା ଭାବେ ଜଣାଶୁଣା ବିଜୟ ଦଳର ଅପମାନକୁ ଗିଳି ନିରବ ରହିଛନ୍ତି କାହିଁକି? ବିଜେପିରେ ଏଭଳି ଅବହେଳିତ ଭାବେ ସେ ପଡିରହିବାର କାରଣ କଣ ହୋଇପାରେ? ବିଜୟଙ୍କୁ ବିଜେପି କଣ ଏତେ ଦୁର୍ବଳ କରିଦେଇଛି? ଅର୍ଥବହୁଳ ରାଜନୀତିରେ ସେ ଏକାକୀ ଲଢିବାକୁ ଆଉ ସାହସ କରୁନାହାନ୍ତି କି? ବିଜୟଙ୍କୁ କଣ ଆଉ କେହି ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି? ଅନ୍ୟ କୌଣସି ସମୀକରଣକୁ ସେ ଅପେକ୍ଷା କରୁନାହାନ୍ତି ତ? ନିଜ ସ୍ୱାଭିମାନ ସହିତ ସାଲିସ କରି ସେ ପୁଣିଥରେ ବିଜେଡିକୁ ଫେରିବେ ନା ନିଜ ଦୀର୍ଘ ଅଭିଜ୍ଞତାକୁ ଆୟୁଧ କରି ‘ବିକଳ୍ପ’ ଲାଗି କ୍ଷେତ୍ର ପ୍ରସ୍ତୁତ କରିବେ? ରାଜନୀତିରୁ ଅବସର ନେଇଯିବେନି ତ?

ବିଜୟଙ୍କୁ ନେଇ ଏମିତି ପୁଳା ପୁଳା ପ୍ରଶ୍ନ ସବୁଆଡେ ଚାଲିଛି। ହେଲେ ଏ ନେଇ ମୁହଁ ଖୋଲୁନାହାନ୍ତି ଶ୍ରୀ ମହାପାତ୍ର। ବିଜୟକେତନଙ୍କ ଇସ୍ତଫା ପରେ ତାଙ୍କର ଅନୁଗତ ବୋଲି କୁହାଯାଉଥିଲା ଗୋଟିଏ ଗୋଷ୍ଠୀ ସଙ୍କେତ ଦେଉଛନ୍ତି ଯେ ଖୁବ୍‌ ଶୀଘ୍ର କିଛି ନୂଆ ଘଟଣା ଘଟିବ। ହେଲେ ଆଉ କିଛି ଅନୁଗତ କିଛି ଠଉରାଇ ପାରୁନାହାନ୍ତି, ସମ୍ପୂର୍ଣ୍ଣ ଅନ୍ଧାରରେ ଅଛନ୍ତି। ସେପଟେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କଥା କଥାକେ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ହେଁ, ବିଜୟଙ୍କ କ୍ଷେତ୍ରରେ କାହିଁକି ଚୁପ୍‌ ରହିଛନ୍ତି, ତାହା ବି ଅବୁଝା ହୋଇ ରହିଛି।

ସମ୍ବନ୍ଧିତ ଖବର