କେନ୍ଦ୍ରାପଡ଼ା : ଆସନ୍ତା ୨୨ ତାରିଖରେ ହେବାକୁ ଥିବା ବିଜେପିର ମିଶ୍ରଣ ପୂର୍ବକୁ ୨୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଲଗାଣ ବର୍ଷା ଓ ପାଗ ଖରାପ ଯୋଗୁଁ ଦଳ ପକ୍ଷରୁ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ, ଏହି ମିଶ୍ରଣ ପର୍ବ ପୂର୍ବରୁ ଦଳକୁ ଏକ ବଡ଼ଧରଣର ଝଟ୍କା ଲାଗିଛି। ଦଳର ଜଣେ ବରିଷ୍ଠ ନେତା ତଥା ୨୦୦୯ ମସିହାର ବିଧାୟକ ପ୍ରାର୍ଥୀ ବିଜୟ କେତନ ସ୍ୱାଇଁ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚା ଦେଖିବାକୁ ମିଳିଛି।
ଇସ୍ତଫା ଦେଇଥିବା ଶ୍ରୀ ସ୍ୱାଇଁ ଜଣେ ଛାମୁଆଁ ନେତା ଭାବେ ଜଣାଶୁଣା। ସ୍ୱର୍ଗତଃ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ସେ ଜନତା ଦଳର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। ବିଭିନ୍ନ ସାଙ୍ଗଠନିକ ପଦପଦବିରେ ତାଙ୍କୁ ଦେଖିବାକୁ ମିଳିଥିଲା। ପରିବର୍ତ୍ତିତ ପରିସ୍ଥିତିରେ ସେ ବିଜେପିରେ ଯୋଗଦେଇ ୨୦୦୯ ମସିହାରେ ରାଜନଗରରୁ ଦଳୀୟ ପ୍ରାର୍ଥୀ ହୋଇଥିଲେ ଏବଂ ୬୬୬୧ ଖଣ୍ଡ ଭୋଟ ପାଇଥିଲେ। ଏହାପରଠାରୁ ସେ ଦଳ ମଧ୍ୟରେ ରହିଥିଲେ ବି ୨୦୧୪ ମସିହାରେ ଟିକେଟ୍ ପାଇନଥିଲେ। ତାଙ୍କ ବଦଳରେ ଜ୍ଞାନଦେବ ବେଉରାଙ୍କୁ ରାଜନଗରରୁ ପ୍ରାର୍ଥୀ କରାଯାଇଥିଲା। ଶେଷରେ, ସେ ଆଜି ଦଳ ଦଳ ଛାଡ଼ିଛନ୍ତି। ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ‘ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ’ ପକ୍ଷରୁ ପଟ୍ଟାମୁଣ୍ଡାଇକୁ ସବ୍ଡିଭିଜନ୍ ପ୍ରତିଷ୍ଠା ପାଇଁ ଯେଉଁ ଦାବି ହୋଇଆସୁଛି, ସେଥିରେ ବିଜେପି ସମର୍ଥନ କରୁନାହିଁ। ଏପରିକି, ଦଳ ପକ୍ଷରୁ ବିଧାନସଭାରେ ଏ ସମ୍ପର୍କରେ ପ୍ରଶ୍ନ ଉତ୍ଥାପନ କରାଯାଇନାହିଁ।’ ‘ଏହାର ପ୍ରତିବାଦରେ ମୁଁ ଆଜି ଇସ୍ତଫା ଦେଉଛି। ମୋର ଇସ୍ତଫାପତ୍ରକୁ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛି,’ ।
ଅନ୍ୟପକ୍ଷରେ ବିଜେପିର ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ କହିଛନ୍ତି, ସ୍ୱାଇଁ କେବେ ବିଜେପିରେ ଥିଲେ ଓ ସଦସ୍ୟତା ବିଷୟରେ ଜାଣି ନାହିଁ । ୨୦୦୯ରୁ ଆଜି ଯାଏଁ ସେ ଦଳର କୌଣସି ସାଂଗଠନିକ ବୈଠକ କିମ୍ବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାନ୍ତି । ତେଣୁ ସେ ଦଳରୁ ଇସ୍ତଫା ଦେଇଥିବା କଥାର ମଧ୍ୟ କୌଣସି ଗୁରୁତ୍ୱ ନାହିଁ ।
ଶ୍ରୀ ସାହୁଙ୍କ ଏହି ମନ୍ତବ୍ୟ ସତ୍ତ୍ୱେ ମିଶ୍ରଣ ପୂର୍ବରୁ ବିଜେପି ଏକ ଶକ୍ତ ଝଟ୍କା ମିଳିଛି ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ପ୍ରାୟ ୬ ମାସ ପୂର୍ବେ ଇଚ୍ଛାପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ଓ ଆଳିରେ ମିଶ୍ରଣ ପର୍ବରେ ଯଥାକ୍ରମେ ଦୁଇ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଓ ଦୋଳଗୋବିନ୍ଦ ନାୟକଙ୍କୁ ବିଜେପିରେ ସାମିଲ କରିଥିଲେ । ଏହା ପରଠାରୁ ଦଳ ଭିତର ବିଦ୍ରୋହ କେବଳ ପାଉଁଶ ତଳର ନିଆଁ ହୋଇ ରହିଛି। ଶ୍ରୀ ସ୍ୱାଇଁଙ୍କ ଇସ୍ତଫା ଏହାର ଏକ କାରଣ। ଶ୍ରୀ ସ୍ୱାଇଁ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କର ଜଣେ ଦୃଢ଼ ସମର୍ଥକ। ଶ୍ରୀ ମହାପାତ୍ର ଦଳମଧ୍ୟରେ କୋଣଠେସା ହୋଇ ରହିଥିବାରୁ ଶ୍ରୀ ସ୍ୱାଇଁ ଇସ୍ତଫା ଦେଇଥିବା ରାଜନୈତକ ସମୀକ୍ଷକମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bjp1-2.jpg)